ବିଜେଡିରେ ଅସନ୍ତୁଷ୍ଟ ଦଳୀୟ କର୍ମକର୍ତ୍ତା। ଟିକେଟ୍ ନ ପାଇ ଦଳ ଛାଡିଲେଣି ଅଧାରୁ ଅଧିକ ନେତା। ଏବେ ଚର୍ଚ୍ଚାରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ଯଦିଓ ସେହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ଏଯାଏଁ କରିନାହିଁ, ତଥାପି ତାଙ୍କୁ ଟିକେଟ ମିଳିବା ଆଶା ଖୁବ କମ ଥିବାରୁ ପାଟ୍ଟଶାଣୀ ଏବେ ଦଳ ଛାଡିବେ ବୋଲି କୁହାଯାଉଛି। ତେବେ ପାଟ୍ଟଶାଣୀ ଏ ସମ୍ପର୍କରେ ନିଜେ କିଛି ସ୍ପଷ୍ଟ କରିନାହାନ୍ତି।
କିଛି ଦିନ ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ସେ ଏବେ ଉତ୍ତର ଭୁବନେଶ୍ୱରର ବିଜେପିର ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଛାଡ଼ିବା ବେଳେ ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଦଳରେ ଲଗାତାର ଅବହେଳା କରାଯାଉଥିବାରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ତେବେ ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ସେ ବିଧାୟକ ଥିଲେ । ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କାଟିଥିଲା ବିଜେଡି । ତାଙ୍କ ସ୍ଥାନରେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏଥର ମଧ୍ୟ ପୁଣି ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତଙ୍କୁ ଦଳ ପ୍ରାର୍ଥୀ କରିଛି। ଆଉ ଏବେ ଜ୍ବାଇଁ ପରେ ଶଶୁର ବି ଦଳ ଛାଡି ପାରନ୍ତି ବୋଲି ଚର୍ଚ୍ଚା ରହିଛି ।