ଭୁବନେଶ୍ୱର : ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ରହିଛି। ତେଣୁ ରାଜ୍ୟରେ ବର୍ଷା ପ୍ରକୋପ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତା’ପରେ ଏହାର ପରିମାଣ ଅଳ୍ପ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏପରିକି ଆଜି ପବିତ୍ର ବାହୁଡ଼ାରେ ମଧ୍ୟ ବର୍ଷାରେ ଭିଜିବେ ଭକ୍ତ। କାରଣ ଆଜି ପୁରୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଏପରିକି ଆସନ୍ତାକାଲି ଅନେକ ସ୍ଥାନରେ ବର୍ଷା ଏବଂ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି। ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ୭ରେ ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
ବର୍ଷାର ପରିମାଣ ଦିନକୁ ଦିନ ବଢୁଥିବା ହେତୁ ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ୟାର ପରିସ୍ଥିତି ଦେଖିବାକୁ ମିଳୁଛି। ତେଣୁ ବନ୍ୟା ପରିସ୍ଥିତି ଏବଂ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ବ୍ୟବସ୍ଥା ଜାରି କରାଯାଇଛି। ଏପରିକି ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ରକୁଳ କୁ ଯିବା ପାଇଁ ବାରଣ କରାଯାଇଛି। ଯଦି କୌଣସି ମତ୍ସ୍ୟଜୀବୀ ଏହି ନିର୍ଦେଶକ ଅଣଦେଖା କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଜାରି ରହିଛି।