ପୁରୀ: ବାହୁଡା ଯାତ୍ରା ପାଇଁ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ମା' ସୁଭଦ୍ରାଙ୍କ ରଥ ଦର୍ପଦଳନରେ ବିରଜାମାନ କରିଥିଲେ । ଏହା ପରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ଟାହିଆ ହଲେଇ ହଲେଇ ଆସି ବଡ଼ ଠାକୁର ତାଳଧ୍ୱଜ ରଥରେ ବିରଜାମାନ କରିଥିଲେ । ଏହା ପରେ ମା' ସୁଭଦ୍ରା ପହଣ୍ଡି ହୋଇ ଦର୍ପଦଳନ ରଥରେ ବିରଜାମାନ କରିଥିଲେ ।
ଶେଷରେ ଜନ୍ମବେଦୀରୁ ନଅ ଦିନର ଲୀଳା ସାରି କୋଟି ଓଡ଼ିଆଙ୍କ ମଉଡମଣୀ ପହଣ୍ଡିରେ ଭକ୍ତଙ୍କ ଗହଳିରେ ଝୁଲି ଝୁଲି ଗହଳ ଚହଳ ଲଗାଇ ଆସି ନନ୍ଦିଘୋଷ ରଥରେ ବିରଜାମାନ କରିଛନ୍ତି । ଭକ୍ତଙ୍କ ଗହଳିରେ ଘଣ୍ଟ ତାଳେ ତାଳେ କାଳିଆ ଠାକୁର ରଥାରୂଢ ହୋଇଛନ୍ତି । ପହଣ୍ଡି ସମୟରେ ମହାପ୍ରଭୁଙ୍କର ଚକା ଚକା ଆଖି ସତେ କେତେ ମନଲୋଭା । ଯିଏ ଦେଖୁଛି ସେ ସୁନ୍ଦର ମୁଖକୁ କୋଟି ଜନ୍ମର ପାପ କ୍ଷୟ ହୋଇଯାଉଛି ।
ଘଣ୍ଟ ନାଦ, ଶଙ୍ଖ, ହରିବୋଲରେ ଶରଧାବାଲି ପ୍ରକମ୍ପିତ ହୋଇପଡୁଛି । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ଶରଧାବାଲିରେ ଜନସମୁଦ୍ର ହୋଇଛି । ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ରଥରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷା କରିଛନ୍ତି । ପୁଣି ଥରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ରଥ ଉପରେ କାଳିଆ ରାଜା, ବଡ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଦେଖିବା ପାଇଁ କାହିଁ କେତେ ଆଡୁ ଭକ୍ତଙ୍କ ସୁଅ ଝୁଟୁଛି । ଭକ୍ତଙ୍କୁ ବାଙ୍କ ଚାହାଣୀରେ ଚାହିଁ ରତ୍ନବେଦୀକୁ ଯାତ୍ରା କରିବେ। ପୁଣି ଥରେ ଭକ୍ତଙ୍କ ଭକ୍ତି ଓ ଭାବମୟ ଦଉଡ଼ିରେ ରତ୍ନବେଦିକୁ ଟାଣି ହୋଇଯିବେ ଚତୁର୍ଦ୍ଧାମୂରତି ।