ପୁରୀ : ଆଜି ପ୍ରବିତ୍ର ବାହୁଡା ଯାତ୍ରା। ଭାଇ, ଭଉଣୀଙ୍କୁ ଧରି ବଡ ଦେଉଳକୁ ବାହୁଡ଼ିବେ ତିନିଠାକୁର। ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ। ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଆସି ଫେରିଗଲା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯିବାକୁ ମନ ବଳାଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜି ଭୋର ୪ ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି ହୋଇଛି। ୨ଟା୩୦ରୁ ୩ଟା୩୦ ଛେରା ପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟଣା ଯିବ।
ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁରୀ ଅଭିମୁଖେ ବାହାରୁ ଆସୁଥିବା ଯାନ କେଉଁଠି ପାର୍କିଂ କରିବ ସେ ନେଇ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣି ଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭ ଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ପାର୍କିଂ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣି ଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡ଼ିଆ ଠାରେ ପାର୍କିଂ କରିବେ।
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ବାଇଦାସ ନଗର, ଗ୍ରୀଡ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକା ପରିସର ମଧ୍ୟରେ ଗାଡି ଗୁଡିକ ପାର୍କିଂ କରିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। ସେହିଭଳି ବ୍ରହ୍ମଗିରି ଆଡୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣୀ ଚଣ୍ଡି ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ କରିବେ।
ସେହିପରି ଚାରି ଚକିଆ ଯାନ ଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ ଛକ ଦେଇ ତାଳବଣିଆ ପଯ୍ୟନ୍ତ ଯିବ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ୱଛ ମାଛ ବଜାର ଠାରେ କ୍ରମାନ୍ୱୟରେ ଗାଡି ପାର୍କିଂ କରାଯିବ। ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଛକ, ସମଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ଆଡକୁ ପ୍ରସ୍ଥାନ କରିବ ।