ଭୁବନେଶ୍ୱର: ଆଜି ହେଉଛି ବାହୁଡ଼ା ଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ଶ୍ରୀମନ୍ଦିର । ଏପଟେ ଗୁଣ୍ଡିଚା ରାଣୀ ଆଜି ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କ ବିଦାୟ ଖବର ଶୁଣି ଅସ୍ଥିର ହୋଇ ପଡ଼ିଲେଣି । ନବ ଦିନାତ୍ମକ ମାନବୀୟ ଲୀଳା ସାରି ପୁଣି ଥରେ ବଡ଼ ଦେଉଳକୁ ବାହୁଡ଼ି ଯିବେ ମହାପ୍ରଭୁ । ଆଉ ତିନି ପିଲାଙ୍କ ପାଇଁ ମାଉସୀ ମା’ ପ୍ରସ୍ତୁତ କରିଛନ୍ତି ପୋଡ଼ ପିଠା । ରଥାରୁଢ଼ ଶ୍ରୀଜୀଉ ବାଟରେ ମାଉସୀ ମା’ ମନ୍ଦିର ନିକଟରେ ପୋଡ଼ ପିଠା ଭୋଗ ଖାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।
ଜଗତର ନାଥ ଜଗନ୍ନାଥ, କୋଟି ବ୍ରହ୍ମାଣ୍ଡର ଠାକୁର କାଳିଆ ସାଆନ୍ତି ଭାରି ଖାଉଟିଆ । ନାନାଦି ବ୍ୟଞ୍ଜନରେ ତାଙ୍କର ଭାରି ମନ ଥାଏ । ସେଥିପାଇଁ ନିତି ମହାପ୍ରଭୁଙ୍କ ନିକଟରେ ୬୦ ପଉଟି ଭୋଗ ଓ ୫୬ଭୋଗ ଲାଗି କରାଯାଇଥାଏ । ସେଥିରେ ଥାଏ ପୋଡ଼ ପିଠା । ମହାପ୍ରଭୁଙ୍କ ଦିବ୍ୟ ବ୍ୟଞ୍ଜନ ମଧ୍ୟରୁ ପୋଡ଼ ପିଠା ଅନ୍ୟତମ । ପୋଡ଼ ପିଠାକୁ ମାଉସୀ ମା’ ମନ୍ଦିର ସେବକ ବିଶ୍ୱନାଥ ମିଶ୍ର ପ୍ରସ୍ତୁତ କରନ୍ତି । ଗୁଣ୍ଡିଚା ମନ୍ଦିରରୁ ତିନି ରଥ ବାହାରିବା ପରେ ମାଉସୀ ମା ମନ୍ଦିର ନିକଟରେ କିଛି କ୍ଷଣ ପାଇଁ ଅଟକି ରହିବ । ସେଠାରେ ରଥାରୁଢ଼ ଶ୍ରୀଜୀଉଙ୍କ ନିକଟରେ ସୁଆଦିଆ ପୋଡ଼ ପିଠା ଲାଗି ହେବ ।
ପୋଡ଼ା ଯାଏ ନାହିଁ ପୋଡ଼ ପିଠା
ଓଡ଼ିଶାର ପ୍ରତି ଘରେ ଘରେ ବିଭିନ୍ନ ପର୍ବ ପର୍ବାଣୀରେ ମଧ୍ୟ ପୋଡ଼ ପିଠା ପ୍ରସ୍ତୁତ ହୋଇଥାଏ । କିନ୍ତୁ ମହାପ୍ରଭୁଙ୍କ ନିକଟରେ ଯେଉଁ ପୋଡ଼ ପିଠା ଲାଗି ହୁଏ ତାହା ସାଧାରଣ ଓଡ଼ିଆ ଘରେ ପ୍ରସ୍ତୁତ ହେଉଥିବା ପୋଡ଼ ପିଠାଠାରୁ ଟିକେ ଭିନ୍ନ ଅଟେ । ଏହି ପୋଡ଼ ପିଠା ଚୁଲିରେ ପୋଡ଼ା ନ ଯାଇଁ ସିଝା ଯାଏ ଏବଂ ପରେ ଘିଅରେ ଛଣା ଯାଇଥାଏ । କାରଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ କୌଣସି ଦ୍ରବ୍ୟ ପୋଡ଼ା ଯାଇ ନ ଥାଏ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ପୋଡ଼ ପିଠା କିପରି ପ୍ରସ୍ତୁତ କରାଯାଇଥାଏ ।
ପ୍ରସ୍ତୁତି ପ୍ରଣାଳୀ
ଏଥିରେ ଅରୁଆ ଚାଉଳ କିମ୍ବା ସୁଜି ବ୍ୟବହାର କରାଯାଇ ନ ଥାଏ । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଭଲ ଭାବେ ହାତରେ ଚକଟା ଯାଏ । ପରେ ଏକ ପୋଡ଼ ପିଠାର ଆକୃତି ଦିଆଯାଏ । ଏହା ପରେ ଏକ ପାଣି ହାଣ୍ଡିର ଉପରେ କପଡ଼ା ବନ୍ଧା ଯାଇ ପୋଡ଼ ପିଠାକୁ ରଖି ସିଝାଯାଇଥାଏ । ପ୍ରାୟ ୮ ଘଣ୍ଟା ଧରି ବାମ୍ଫରେ ସିଝେ । ଭଲ ସିଝିବା ପରେ ବାହର କରି ଥଣ୍ଡା କରାଯାଏ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ କଟାଯାଇ ଘିଅରେ ଛଣା ଯାଇଥାଏ । ଏହା ପରେ ଉକ୍ତ ପୋଡ଼ ପିଠାକୁ ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥାଏ ।