ପୁରୀ : ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା।। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ବଡ଼ଠାକୁର ବଳଭଦ୍ର, ମା ସୁଭଦ୍ରା ଓ କାଳିଆ ସାଆନ୍ତେ। ଆଡପମଣ୍ଡପରେ ଲୀଳାଖେଳା ସାରି ଆଜି ନିଜ ଭକ୍ତଙ୍କ ଗହଣରେ ରଥରେ ବସି ନିଜ ବଡ ଦେଉଳକୁ ଫେରିଯିବେ ବ୍ରହ୍ମାଣ୍ଡ ଠାକୁର ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ନବମୀ ଦର୍ଶନ ବା ସଂନ୍ଧ୍ୟା ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଏପରିକି ଆଜି ସକାଳୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି।
ତେବେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଭୋର ୪ ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି, ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା ୪୫ରୁ ୬ ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟା ରୁ ୧୧ ଟା ୩୦ ସେନାପଟା ଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ ଏବଂ ମଧ୍ୟାହ୍ନ ୧୨ଟାରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୧ଟାରୁ ୨ଟା୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ଟା୩୦ରୁ ୩ଟା୩୦ ଛେରା ପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟଣା ଯିବ।
ରଥଯାତ୍ରା ଓ ଶରଧାବାଲି ଅଘଟଣ ପରେ ପୂରା ରାଜ୍ୟ ପ୍ରଶାସନ ପୁରୀକୁ ଫୋକସ୍ କରିଛନ୍ତି। ବାହୁଡ଼ା ଯାତ୍ରାରେ ସରକାରଙ୍କ ନୂଆ ଟିମ୍ ନିୟୋଜିତ ହୋଇଛନ୍ତି। ବାହୁଡ଼ା ଯାତ୍ରାରେ ନୀତିକାନ୍ତିଠାରୁ ଆରମ୍ଭ କରି ପହଣ୍ଡି, ରଥଟଣା ସବୁ କିଛି କିଭଳି ଠିକଠାକ ହେବ, ସେଥିପାଇଁ ଅଫିସରଙ୍କ ଟିମ୍ ବଡ଼ ଷ୍ଟ୍ରାଟେଜି କରିଛି। ଏଥିସହ ସବୁଠୁ ଅଧିକ ଫୋକସ୍ କରାଯାଇଛି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଉପରେ। ତେବେ ବାହୁଡ଼ାରେ ଯେପରି ଭକ୍ତମାନେ ମହାପ୍ରଭୁଙ୍କର ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଛି। ଏପରିକି ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ସମସ୍ତ ବ୍ୟବସ୍ଥାର ନିଜେ ଅନୁଧ୍ୟାନ କରୁଛନ୍ତି।