ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମହାପ୍ରଭୁ ଆଜି ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବିଜେ କରିବେ । ନଅ ଦିନ ପାଇଁ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଭକ୍ତଙ୍କ ଗହଳିରେ ଆସିଲେ ମହାପ୍ରଭୁ । ଆଜି ବି ଭକ୍ତଙ୍କ ଗହଳିରେ ରତ୍ନବେଦୀକୁ ଫେରିଯିବେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି । ଲୋକାରଣ୍ୟ ହୋଇପଡିଛି ଶରଧାବାଲି । ଘଣ୍ଟ, ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହେଉଛି ମାଉସୀ ମା' ମନ୍ଦିର । ତିନିରଥ ଶ୍ରୀ ଜୀଉଙ୍କ ଅପେକ୍ଷାରେ । ଭକ୍ତମାନେ ମହାପ୍ରଭୁଙ୍କୁ ଜନ୍ମବେଦୀରୁ ରତ୍ନବେଦୀକୁ ଟାଣିନେବା ପାଇଁ ବିଭୋର ହୋଇଯାଉଛନ୍ତି । ରଥରେ ଚକା ଆଖିକୁ ଦେଖିବା ପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।
ବାହୁଡା ଯାତ୍ରା ପାଇଁ ଆଜି ଭୋର ୪ ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି ହୋଇଛି। ୨ଟା୩୦ରୁ ୩ଟା୩୦ ଛେରା ପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟଣା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଗତକାଲି ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ସଂନ୍ଧ୍ୟା ଦର୍ଶନ କରିଥିଲେ ।