ରାଉରକେଲା: ରାଉରକେଲାର ବେଦବ୍ୟାସ ଗୋପପାଲିରେ ଏକ ଅଘଟଣ ଘଟିଛି । ପାହାଡ଼ି ଛତୁ ଖାଇ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବେଦବ୍ୟାସ ଗୋପପାଲିର ମୁକୁଟ ଲୁଗୁନ୍ ଓ ତାଙ୍କ ସ୍ତ୍ରୀ ସୁମନ୍ତି ଲୁଗୁନ୍ ମୁକୁଟ ନିକଟସ୍ଥ ପାହାଡ଼ରେ ହୋଇଥିବା ଛତୁ ଆଣି ରୋଷେଇ କରି ଖାଇଥିଲେ । ଖାଇବାର କିଛି ସମୟ ପରେ ପତିପତ୍ନୀଙ୍କର ଝାଡ଼ା ବାନ୍ତି ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲେ । ପୂର୍ବରୁ ମଧ୍ୟ ପରିବାର ଲୋକେ ଏହି ଛତୁ ଆଣି ରୋଷେଇ କରି ଖାଇଥିଲେ। କିନ୍ତୁ ତାଙ୍କର କିଛି ହୋଇନଥିଲା । କେଉଁ କାରଣରୁ ଛତୁ ଖାଇ ଦମ୍ପତି ଗୁରୁତର ହେଲେ ତାହାର କାରଣ ଅସ୍ପଷ୍ଟ ରହିଛି ।