ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା । ପ୍ରାୟ ଏକ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଇ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ମହାପ୍ରଭୁ ଶ୍ରୀବଳବଦ୍ରଙ୍କ ତାଳଧ୍ୱଜ । ଘର୍ଘର ଗର୍ଜନ କରି ମାଡ଼ି ଚାଲିଛି ତାଳଧ୍ୱଜ । ଘଣ୍ଟ ଘଣ୍ଟା ନିନାଦ ସହ କାହାଳୀ ଶବଦରେ କମ୍ପି ଉଠୁଛି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର । ଉଚ୍ଛୁଳି ପଡ଼ୁଛି ଶରଧାବାଲି । ଭାବ ଭକ୍ତିରେ ବିଲୀନ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।
ମହାପ୍ରଭୁଙ୍କର ଆଜି ସମସ୍ତ ନୀତିକାନ୍ତି ସୁରୁଖରେ ସମାପ୍ତ ହୋଇଥିଲା । ସକାଳ 10ଟା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତୀଙ୍କ ଧାଡ଼ି ପହଣ୍ଡି । ଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀରୁ ଓହ୍ଲାଇ ତିନି ଠାକୁର ରଥାରୂଢ଼ ହୋଇଥିଲେ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି କରାଯାଇ ଦେବଦଳନ ରଥରେ ବୀଜେ କରିଥିଲେ । ଏହା ପରେ ପ୍ରଭୁ ବଳଦେବ ତାଳଧ୍ୱଜ, ଦେବୀ ସୁଭଦ୍ରା ଦର୍ପଦଳନ ଏବଂ କାଳିଆ ସାଆନ୍ତ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷରେ ବୀଜେ କରିଥିଲେ । ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା ନୀତି ସମ୍ପାଦନ କରିଛନ୍ତି । ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଚାରମାଳ ପିଠା ଯାଇ ଘୋଡ଼ା ସଂଯୋଗ କରାଯାଇଥିଲା । ଡାହୁକର ଡାକରେ ବଡ଼ ଦାଣ୍ଡକୁ ଗଡ଼ିଛି ବଡ଼ ଭାଇ ବଳଭଦ୍ରଙ୍କ ରଥ ।