ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଲେ ତିନି ଠାକୁର । ନବ ଦିନାତ୍ମକ ମାନବୀୟ ଲୀଳା ସାରି ଏବେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଖୋଳ ତାଳ, ହରିବୋଲ ଏବଂ ହୁଳିହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ଶରଧାବାଲିରୁ ବଡ଼ଦାଣ୍ଡକୁ ଗଡ଼ିଛି ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ।
ରଥଯାତ୍ରା ଦିନ ଯେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହାର ପୁନରାବୃତ୍ତି ହୋଇ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସୁରୁଖରେ ସମ୍ପାଦିତ ହେବା ପରେ ଖେଚୁଡ଼ି ଭୋଗ ଖାଇ ଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଇଥିଲେ । ପର୍ଯ୍ୟାୟ କ୍ରମେ ଶ୍ରୀବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେରେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିବାବେଳେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହଲି ହଲି ଝୁଲି ଝୁଲି ନନ୍ଦିଘୋଷରେ ବିରାଜମାନ ହୋଇଥିଲେ ।
ଚଳନ୍ତି ପ୍ରତିମା ରାମକୃଷ୍ଣ ଏବଂ ଶ୍ରୀମଦନମୋହନ ପହଣ୍ଡି ହୋଇଥିଲା । ଏହାପରେ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଜାନରେ ବିଜେ କରିଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ଗଜପତି ମହାରାଜା ବଳଭଦ୍ରଙ୍କ ତାଳଧ୍ୱଜରେ ଛେରା ପହଁରା କରିଥିଲେ । ପରେ ଦର୍ପ ଦଳନ ଏବଂ ନନ୍ଦିଘୋଷ ରଥରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ପରେ ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିଥିଲା। ଏହାପରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ପରେ ମା’ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ଗଡ଼ିଥିଲା ।
ସେପଟେ ପୋଡ଼ ପିଠା ଖୁଆଇବାକୁ ମାଉସୀ ମା ଅଧିର ହେଲେଣି । ପୋଡ଼ ପିଠା ପ୍ରସ୍ତୁତ ହୋଇ ରହିଛି । ମାଉସୀ ମା ମନ୍ଦିର ନିକଟରେ ପୋଡ଼ ପିଠା ଭୋଗ ଲାଗି ହେବ ।