ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଭାରତୀୟ ଜନତା ପାର୍ଟି ନୂତନ ମଙ୍ଗୁଆଳ ଦେଖିବ । ସମସ୍ତ ରାଜ୍ୟରେ ବିଜେପି ରାଜ୍ୟ ସଭାପତି ଚୟନ ଜାରି ରହିଛି । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଯାହା ଉପରେ ଆଞ୍ଚଳିକଠାରୁ ଆରମ୍ଭ କରି ସମସ୍ତ ଜାତୀୟ ଦଳର ନଜର ରହିଛି । ହେଲେ କିଏ ନୂତନ ଅଧ୍ୟକ୍ଷ ହେବେ ତାହାକୁ ନେଇ ଅଙ୍କକସା ଚାଲିଛି । ଚଳିତ ଥର ତିନି ଜଣ ପୁରୁଷ ଏବଂ ତିନି ଜଣ ମହିଳା ଦାବିଦାରଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି । ଦଳ ପୁଣି ଥରେ ପୁରୁଷଙ୍କ ହାତରେ ଦଳର ଦାୟିତ୍ୱ ଦେବ ନାଁ ପ୍ରଥମ ଥର ପାଇଁ ଜଣେ ମହିଳା ବିଜେପିର ସିଂହାସନ ଉପରେ ବସିବେ ତାହାକୁ ନେଇ ଆଲୋଚନା ଜୋର ଧରିଛି । ଏହି ତାଲିକାରେ ୪ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହ୍ୱାନ, ମନୋହର ଲାଲ ଖଟ୍ଟର ଓ ନିର୍ମଲା ସୀତାରମଣ ଏବଂ ଦଳର ଦୁଇ ଅଭିଜ୍ଞ ନେତ୍ରୀ ଡି.ପୁରନ୍ଦେଶ୍ୱରୀ ଓ ବନାଥୀ ଶ୍ରୀନିବାସନ ନାମ ସାମିଲ ରହିଛି ।
ବର୍ତ୍ତମାନ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ସମାପ୍ତ ହୋଇ ସାରିଥିଲା । ମାତ୍ର ପାର୍ଟି ତାଙ୍କର କାର୍ଯ୍ୟକାଳକୁ ୨୦୨୪ ଜୁନ ପର୍ଯ୍ୟନ୍ତ ବିସ୍ତାର କରିଥିଲା । ଏବେ ନୂଆ ଅଧ୍ୟକ୍ଷଙ୍କ ନାଁ ଆଗାମୀ କିଛି ଦିନରେ ଘୋଷଣା ହୋଇପାରେ । ମହିଳାଙ୍କୁ ଅଧ୍ୟକ୍ଷ କରାଯିବା ନେଇ ପାର୍ଟିର ଶୀର୍ଷସ୍ତରରେ ମଧ୍ୟ ସହମତି ପ୍ରକାଶ ପାଇଛି । ମହିଳା ଅଧ୍ୟକ୍ଷ ପଦ ଦୌଡରେ ତିନି ପ୍ରମୁଖ ମହିଳାଙ୍କ ନାଁ ରହିଛି ।
ଧର୍ମେନ୍ଦ୍ର ପ୍ରଧାନ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ବେଶ ଚର୍ଚ୍ଚାରେ ରହିଛି । ସେ ଜଣେ ଦକ୍ଷ ରଣନୀତିଜ୍ଞ । ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ସେଠାରେ ବିଜେପି ସରକାର ଗଢ଼ିଛି । ସେ ଲଗାତର ତିନି ଥର କେନ୍ଦ୍ର ମନ୍ତ୍ରୀ ହେବ ସହିତ ଗତ ଲୋକସଭା ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ଏକାକି ସରକାର ଗଢ଼ିଛି । ତେଣୁ ତାଙ୍କୁ ଦଳ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସଭାପତି ହୁଅନ୍ତି ତେବେ ପ୍ରଥମ ଓଡ଼ିଆଭାବେ ସେ ଏହି ଖ୍ୟାତି ଅର୍ଜନ କରିବେ ।
ଶିବରାଜ ସିଂହ ଚୌହ୍ୱାନ
ମାମା ନାମରେ ପରିଚିତ ଶିବରାଜ ସିଂହ ଚୌହ୍ୱାନଙ୍କ ନାଁ ମଧ୍ୟ ଚର୍ଚ୍ଚାର ଆଗରେ ରହିଛି । ସେ ମଧ୍ୟ ପ୍ରଦେଶର ୪ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାବେଳେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ସେ ଜଣେ ଲୋକପ୍ରିୟ ସଦସ୍ୟ ଅଟନ୍ତି ।
ମନୋହର ଲାଲ ଖଟ୍ଟର
ମନୋହର ଲାଲ ଖଟ୍ଟର ହରିୟାଣାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତର ଅଟନ୍ତି ।
ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଟି ସଂଗଠନରେ ତାଙ୍କର ଭଲ ପ୍ରଭାବ ରହିଛି । କେନ୍ଦ୍ର ସରକାରରେ ତାଙ୍କର ଲମ୍ବା ଅନୁଭବ ରହିଛି । ସେ ୨୦୧୪ରୁ ମୋଦୀ ସରକାରେ ଦୁଇ ଥର ଅର୍ଥ ମନ୍ତ୍ରୀ ଏବଂ ଥରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ନିକଟରେ ବିଜେପି ମୁଖ୍ୟାଳୟରେ ଜେପି ନଡ୍ଡା ଓ ସାଧାରଣ ସଂପାଦକ ବିଏଲ ସନ୍ତୋଷଙ୍କ ସହ ବୈଠକ କରିଥିଲେ । ନିର୍ମଳା ଦକ୍ଷିଣ ଭାରତୀୟ ହୋଇଥିବାରୁ ବିଜେପିର ଦକ୍ଷିଣ ବିସ୍ତାର ରଣନୀତି ପାଇଁ ମଧ୍ୟ ଫାଇଦା ସାବ୍ୟସ୍ତ ହୋଇପାରେ । ତାମିଲନାଡ଼ୁରେ ବିଜେପି ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରିପାରେ ।
ଡି.ପୁରନ୍ଦେଶ୍ୱରୀ
ଆନ୍ଧ୍ର ପ୍ରଦେଶ ବିଜେପିର ପୂର୍ବତନ ସଭାପତି ଡି ପୁରନ୍ଦେଶ୍ୱରୀଙ୍କ ସଂଗଠନରେ ବହୁତ ଅଭିଜ୍ଞତା ରହିଛି । ସେ ଜଣେ ବହୁଭାଷୀ ନେତା । ଅନେକ ରାଜନୈତିକ ଦଳ ସହିତ କାମ କରିବାରେ ତାଙ୍କର ଅନୁଭବ ରହିଛି । ପାର୍ଟିରେ ବ୍ୟାପକ ଭାବେ ତାଙ୍କ ପ୍ରତି ସମର୍ଥନ ରହିଛି । ତାଙ୍କୁ ଅପରେସନ ସିନ୍ଦୂର ପରି ଅନ୍ତର୍ଜାତୀୟ କୂଟନୈତିକ ଅଭିଯାନର ସଦସ୍ୟ ଥିଲେ ।
ବନାଥୀ ଶ୍ରୀନିବାସନ
ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ସିଟରୁ ବିଧାୟକ ତଥା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଥିବା ବନାଥୀ ଶ୍ରୀନିବାସନ ୧୯୯୩ରୁ ବିଜେପି ସହ ଅଛନ୍ତି ଏବଂ ସଂଗଠନରେ ଅନେକ ପଦରେ କାମ କରି ସାରିଛନ୍ତି । ୨୦୨୨ରେ କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଥିଲେ ।
ବର୍ତ୍ତମାନ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ସମାପ୍ତ ହୋଇ ସାରିଥିଲା । ମାତ୍ର ଦଳ ତାଙ୍କର କାର୍ଯ୍ୟକାଳ ଅବଧିକୁ ୨୦୨୪ ଜୁନ ପର୍ଯ୍ୟନ୍ତ ବଢ଼ାଇଥିଲା ।