ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଛି । ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ। ଦୁଇଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢ଼ିବାରେ ଲାଗିଛି ।ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଆଜି ବାରିପଦା ସବୁଠୁ ତତଲା ସହର ପାଲଟିଛି । ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ-ଆଦ୍ର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ତେବେ ଆଶ୍ୱସ୍ତିର ଖବର ରହିଛି ଯେ ୨୦ ତାରିଖ ବେଳକୁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିପାରେ। ସେହିଦିନ ରାଜ୍ୟର କିଛି ଅଞ୍ଚଳରେ ହାଲ୍କା ବର୍ଷା ହୋଇପାରେ। ସେହିପରି ୨୧ ଓ ୨୨ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ୧୮ ଓ ୧୯ ତାରିଖରେ ଖରା ପିକ୍ରେ ରହିବ । କିଛି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ୧୮ ତାରିଖରେ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ମାଲକାନଗିରି, ସୋନପୁର, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ପାରଳାଖେମୁଣ୍ଡି, ଭୁବନେଶ୍ୱର, ଅନୁଗୋଳ ଓ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ।
ସେହିପରି ୧୯ ତାରିଖରେ ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ନୂଆପଡ଼ା, ସୋନପୁର ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ରାୟଗଡ଼ା, ପାରଳାଖେମୁଣ୍ଡି, ସମ୍ବଲପୁର, ଭୁବନେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାଉରକେଲା ୪୩ ଡିଗ୍ରୀ ରହିପରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।