ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ବୋର୍ଡ-ନିଗମରେ ନିଯୁକ୍ତି ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ସ୍ତରରେ ତତ୍ପରତା ବଢ଼ିଥିବା ବେଳେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବା ସାର୍ବଜନୀନ ଉଦ୍ୟୋଗ ବିଭାଗ ପକ୍ଷରୁ ଜୁନ୍ ୧ ତାରିଖରେ ଜାରି ହୋଇଥିବା ଚିଠି ଅନୁଯାୟୀ, ୧୭ଟି ବିଭାଗ ଅଧୀନ ୩୨ଟି ବୋର୍ଡ ଓ ନିଗମରେ ମୋଟ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରାଯାଇଛି। ଏଥିମଧ୍ୟରୁ ନୂଆ ସରକାର ଗଠନ ପରଠାରୁ ୬୭୭ ଜଣଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ଅବଶିଷ୍ଟ ପଦଗୁଡ଼ିକୁ ଚଳିତ ମାସ ଶେଷ ସୁଦ୍ଧା ପୂରଣ କରିବା ଲକ୍ଷ୍ୟ ରହିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୭ଟି ବୋର୍ଡ ଓ ନିଗମରେ ଏପର୍ଯ୍ୟନ୍ତ ଜଣେ ହେଲେ ମଧ୍ୟ ନିଯୁକ୍ତି ପାଇନାହାନ୍ତି। ଅନେକ ସଂସ୍ଥାର ଅଧ୍ୟକ୍ଷ ଓ ସଦସ୍ୟ ପଦ ଦୀର୍ଘ ଦିନ ଧରି ଖାଲି ପଡ଼ି ରହିଥିବାରୁ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା।
ସୂଚନା ଅନୁଯାୟୀ, ବୋର୍ଡ-ନିଗମ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ପ୍ରକ୍ରିୟାକୁ ଦ୍ରୁତଗତିରେ ଆଗେଇ ନେବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଏବେ ସମସ୍ତଙ୍କ ନଜର ଜୁନ୍ ୩୦ ଉପରେ। କାହାକୁ ମିଳିବ ବୋର୍ଡ-ନିଗମର ଦାୟିତ୍ୱ, କେଉଁ ନେତା କିମ୍ବା କର୍ମୀଙ୍କ ଭାଗ୍ୟ ଖୋଲିବ, ତାହାକୁ ନେଇ ରାଜନୈତିକ କରିଡରରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଜୁନ୍ ଶେଷ ସପ୍ତାହରେ ଏହି ସସ୍ପେନ୍ସ ଉପରୁ ପରଦା ଉଠିପାରେ।