ଦେଶ ବାହାରେ ଇସ୍କନ୍ (ISKCON) ସଂଗଠନ ପକ୍ଷରୁ ଶାସ୍ତ୍ରୀୟ ବିଧି ବିଧାନକୁ ଉଲ୍ଲଂଘନ କରି କରାଯାଉଥିବା ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଗଭୀର ଉଦ୍ବେଗ ଓ କ୍ଷୋଭ ପ୍ରକାଶ କରିଛି। ବାରମ୍ବାର ଶାସ୍ତ୍ରଗତ ପ୍ରମାଣ ଦେବା ସତ୍ତ୍ୱେ ଇସ୍କନ୍ ନିଜର ମନମାନି ଚଳାଇଥିବାରୁ, ଏହି ବଡ଼ ସଙ୍କଟର ସମାଧାନ ପାଇଁ ଏବେ ସର୍ବୋଚ୍ଚ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳୀ ତଥ୍ୟ ପ୍ରମାଣ ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ଗସ୍ତ କରିବେ।
ଏହି ସଂଗୀନ ସମସ୍ୟା ନେଇ ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ବରୁ ହିଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଷ୍ଟ୍ରମୁଖ୍ୟଙ୍କ ହସ୍ତକ୍ଷେପ ଲୋଡ଼ି ସାରିଛନ୍ତି। ଗତ ଏପ୍ରିଲ ୨୦ ତାରିଖରେ ରାଷ୍ଟ୍ରପତିଙ୍କୁ ଏବଂ ଗତବର୍ଷ ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗଜପତି ଅବଗତ କରାଇଥିଲେ ଯେ, ଚଳିତ ବର୍ଷ ବିଶ୍ୱର ପ୍ରାୟ ୭୦ଟି ସହରରେ ମୂଳ ପୀଠର ନୀତିକୁ ଉଲ୍ଲଂଘନ କରି ‘ଅ-ତିଥି’ରେ ରଥଯାତ୍ରା ଓ ୧୦ଟି ସହରରେ ଅଦିନିଆ ସ୍ନାନଯାତ୍ରା ଆୟୋଜନ କରାଯାଉଛି।
ପ୍ରତିରୂପରେ, ଇସ୍କନ୍ ଭାରତ ମଧ୍ୟରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା କରିବାକୁ ରାଜି ହୋଇଥିଲେ ମଧ୍ୟ ବିଦେଶରେ ମନଇଚ୍ଛା ଭିନ୍ନ ସମୟରେ ଏହି ପବିତ୍ର ଯାତ୍ରା କରୁଛି, ଯାହା ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରୁଛି। ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବାଚାର୍ଯ୍ୟମାନେ ମଧ୍ୟ ଏହି ଅଦିନିଆ ରଥଯାତ୍ରାକୁ ଘୋର ନିନ୍ଦା କରିଛନ୍ତି। ଗଜପତି ମହାରାଜା ନିଜ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ଯଦି ସନାତନ ଧର୍ମର ମହାଶିବରାତ୍ରୀ, ଜନ୍ମାଷ୍ଟମୀ, ଦୁର୍ଗାପୂଜା ଓ ଶ୍ରୀରାମ ନବମୀ ଭଳି ମହାପର୍ବ ନିର୍ଦ୍ଦିଷ୍ଟ ତିଥିରେ ପାଳନ ହେଉଛି, ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅ-ତିଥିରେ ଆୟୋଜନ ହେବା କେବେହେଲେ ନ୍ୟାୟୋଚିତ ନୁହେଁ। ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନଥିବାରୁ, ଏବେ ପରିଚାଳନା କମିଟି ନୀଳାଦ୍ରି ବିଜେ ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି କରିବ।