ଝାରସୁଗୁଡ଼ା: ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ସେୟାର କରି ବନ୍ଧା ହେଲେ ଯୁବକ । ସୋସିଆଲ ମିଡିଆରେ ଜାତି ଓ ସମ୍ପ୍ରଦାୟକୁ ଆକ୍ଷେପ କରି ଆପତ୍ତିଜନକ ପୋଷ୍ଟ ଶେୟାର କରିବା ଅଭିଯୋଗରେ ଝାରସୁଗୁଡ଼ା ସାଇବର ପୋଲିସ ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମର ପ୍ରସାଦ ମହାଦେବଙ୍କୁ ଗିରଫ କରିଛି। ଅଭିଯୁକ୍ତ ବରଗଡ଼ ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ତାଙ୍କ ବିରୋଧରେ BNS ଏବଂ IT Act ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ସମୟରେ ଡିଜିଟାଲ ପ୍ରମାଣ ଜବତ କରାଯାଇଛି। ତେବେ ପୋଲିସ କହିଛି, ଅଭିଯୁକ୍ତଙ୍କ ପୋଷ୍ଟଗୁଡ଼ିକ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା ସହ ସାଧାରଣ ଶାନ୍ତିଶୃଙ୍ଖଳାକୁ ବିପନ୍ନ କରିପାରୁଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସାଇବର ସେଲ୍ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।
ଝାରସୁଗୁଡ଼ା ଏସପି କଡ଼ା ଚେତାବନୀ ଦେଇ କହିଛନ୍ତି, ସୋସିଆଲ ମିଡିଆରେ ଘୃଣା କିମ୍ବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ପୋଷ୍ଟ, ଫଟୋ ଓ ଭିଡିଓ ଶେୟାର, ଫରୱାର୍ଡ କିମ୍ବା ଲାଇକ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ସାମାଜିକ ସଦ୍ଭାବନା ଓ ଶାନ୍ତି ବଜାୟ ରଖିବା ପାଇଁ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ପୋଲିସ ଜନସାଧାରଣଙ୍କୁ ଅପିଲ କରିଛି।