ମୟୁରଭଞ୍ଜ: କାଠଯୋଡି ନଦୀ ପୋଲ ତଳୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ଘଟଣା ଏବେ ନୂଆ ମୋଡ଼ ନେଇଛି। ଘଟଣାକୁ ନେଇ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ, ଏହା କେବଳ ଏକ ଅସ୍ୱାଭାବିକ ମୃତ୍ୟୁ ନା ଏକ ସୁଚିନ୍ତିତ ହତ୍ୟାକାଣ୍ଡ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷର ଛାତ୍ରୀ ଥିଲେ ଚନ୍ଦ୍ରିକା ହେମ୍ବ୍ରମ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମର ଏହି ମେଧାବୀ ଛାତ୍ରୀଙ୍କ ମୃତଦେହ ଗତକାଲି କାଠଯୋଡି ପୋଲ ତଳୁ ଉଦ୍ଧାର ହୋଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅକୁ ହତ୍ୟା କରାଯାଇଥିବା ନେଇ ସିଧାସଳଖ ଅଭିଯୋଗ ଆଣିଛନ୍ତି।
ପରିବାରର କହିବା ଅନୁସାରେ, ଚନ୍ଦ୍ରିକା ଦୀର୍ଘ ଦିନ ଧରି ଭୀମସେନ ପ୍ରସାଦ ଟୁଡୁଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ୨୦୨୭ ମସିହାରେ ବିବାହ କରିବାକୁ ମଧ୍ୟ ଯୋଜନା କରିଥିଲେ। କିନ୍ତୁ ସମ୍ପର୍କ ମଧ୍ୟରେ ସ୍ୱାତି ନାମକ ଜଣେ ଯୁବତୀଙ୍କ ପ୍ରବେଶ ପରେ ପରିସ୍ଥିତି ବଦଳି ଯାଇଥିଲା। ଏହାକୁ ନେଇ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ବିବାଦ ବଢ଼ିଥିଲା ଏବଂ ଚନ୍ଦ୍ରିକା ନିର୍ଯ୍ୟାତନାର ଶିକାର ହେଉଥିବା ପରିବାର ଅଭିଯୋଗ କରିଛି।
ସବୁଠାରୁ ବଡ଼ କଥା ହେଲା, ଚନ୍ଦ୍ରିକାଙ୍କ ମା’ ଓ ଭାଇ ସିଧାସଳଖ ଭାବେ ଭୀମସେନ ଏବଂ ସ୍ୱାତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ଦାବି, ଉଭୟ ମିଳିତ ଭାବେ ଚନ୍ଦ୍ରିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାଠଯୋଡି ନଦୀ କୂଳରେ ଫିଙ୍ଗି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କାମ କରୁଛି ଏବଂ ଚନ୍ଦ୍ରିକାଙ୍କ କଲିଂ ପ୍ୟାଟର୍ନ ଏବଂ ସୋସିଆଲ ମିଡିଆ ଚାଟ୍ ଯାଞ୍ଚ କରାଯାଉଛି। ଯଦି ଏହି ଚାଟ୍ କିମ୍ବା କଲ୍ ରେକର୍ଡରୁ ନିର୍ଯାତନାର କୌଣସି ପ୍ରମାଣ ମିଳେ, ତେବେ ଏଥିପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି।
ଏବେ ଏହି ଚାଞ୍ଚଲ୍ୟକର ଘଟଣାର ସତ୍ୟାସତ୍ୟ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରେମ ସମ୍ପର୍କର ତିକ୍ତତା ପଛରେ କି ଲୁଚିଛି ହତ୍ୟାର ରହସ୍ୟ? ନା ଘଟଣାର ଅନ୍ୟ କୌଣସି ଦିଗ ରହିଛି? ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ପୂରା ସତ୍ୟ।