ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ପାଞ୍ଚ ଦିନ ଧରି ଓଡ଼ିଶାରେ ରହି ଘଟଣାର ବିଭିନ୍ନ ଦିଗରେ ଖୋଳତାଡ଼ କରିଥିବା ଜାତୀୟ ମାନବାଧିକାର ଆୟୋଗ (NHRC) ଟିମ୍ ଆଜି (ଶୁକ୍ରବାର) ଦିଲ୍ଲୀ ଫେରିଯାଇଛି। ତେବେ ଫେରିବା ପୂର୍ବରୁ ଟିମ୍ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ତଥା ADG ଦୟାଲ ଗଙ୍ଗୱାରଙ୍କୁ ଜେରା କରିଥିବା ସୂଚନା ସାମ୍ନାକୁ ଆସିଛି।
ସୌମ୍ୟଙ୍କ ପରିବାର ପକ୍ଷରୁ ଆରମ୍ଭରୁ ହିଁ ଘଟଣା ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷ କରି ADG ଦୟାଲ ଗଙ୍ଗୱାରଙ୍କ ନାମ ଉଲ୍ଲେଖ କରି ପରିବାର ସଦସ୍ୟମାନେ ଗୁରୁତର ଅଭିଯୋଗ ଆଣିଥିଲେ। ଏହାପରେ ମାମଲାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ଦାବି ଜୋର ଧରିଥିଲା।
ଏହି ପରିପ୍ରେକ୍ଷୀରେ NHRC ଟିମ୍ ଗତ କିଛି ଦିନ ଧରି ମାରାଥନ୍ ତଦନ୍ତ କରିଛି। ସୌମ୍ୟଙ୍କ ମହିଳା ବନ୍ଧୁ, ଅଭିଯୋଗକାରୀ, ଜଣେ ଡାକ୍ତର, ଗାଡ଼ି ଚାଳକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ପୂର୍ବରୁ ଓ ପରେ କ’ଣ ଘଟିଥିଲା, କିଏ କେଉଁ ଭୂମିକାରେ ଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ କୌଣସି ତ୍ରୁଟି କିମ୍ବା ମାନବାଧିକାର ଉଲ୍ଲଙ୍ଘନ ହୋଇଛି କି ନାହିଁ, ସେସବୁ ଦିଗରେ ଆୟୋଗ ଖୋଳତାଡ଼ କରିଛି।
ତିନି ଦିନ ଧରି ଲଗାତାର ବୟାନ ସଂଗ୍ରହ ଓ ପ୍ରମାଣ ଯାଞ୍ଚ ପରେ ADG ଦୟାଲ ଗଙ୍ଗୱାରଙ୍କୁ ଜେରା କରାଯିବା ଘଟଣାକୁ ନୂଆ ମୋଡ଼ ଦେଇଛି। ଏହା ଦର୍ଶାଉଛି ଯେ ଆୟୋଗ କୌଣସି ପ୍ରସଙ୍ଗକୁ ଏଡ଼ାଇ ନ ଯାଇ ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଖୋଜିବାକୁ ଚେଷ୍ଟା କରୁଛି।
ଏବେ NHRC ତା’ର ସମସ୍ତ ତଥ୍ୟ, ବୟାନ ଓ ପ୍ରମାଣକୁ ଆଧାର କରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଏହି ରିପୋର୍ଟ କେବଳ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇବ ନୁହେଁ, ବରଂ ମାମଲାରେ କାହାର ଦାୟିତ୍ୱ ରହିଛି ତାହା ମଧ୍ୟ ସ୍ପଷ୍ଟ କରିପାରେ। ତେଣୁ ଏବେ ସମସ୍ତଙ୍କ ନଜର NHRCର ପରବର୍ତ୍ତୀ ପଦକ୍ଷେପ ଓ ରିପୋର୍ଟ ଉପରେ ରହିଛି।
ଅଧିକ ପଢନ୍ତୁ: ମୋବାଇଲ୍ ଖୋଲୁଛି ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ; ପ୍ରେମିକାଙ୍କ ବୟାନ ପରେ ତଦନ୍ତରେ ନୂଆ ଟ୍ୱିଷ୍ଟ, ଆଗକୁ ବଢ଼ିପାରେ ଗିରଫ ସଂଖ୍ୟା