ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଠ ବର୍ଷ ପରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଦୁଇ ଦଳ ମଧ୍ୟରେ ଜୁନ ୬ ଅର୍ଥାତ ଆସନ୍ତାକାଲିଠୁ ନ୍ୟୁଚଣ୍ଡିଗଡର ମୁଲ୍ଲାନପୁରରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳ ନିଜର ଶେଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାଠୁ ୦-୨ରେ ହାରିଥିଲା । ଟେଷ୍ଟ ସିରିଜରେ ଗତ କିଛି ବର୍ଷ ହେବ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିବା ଭାରତ ବଡ ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।
ଦୁଇ ଦଳ ମଧ୍ୟରେ ଶେଷ ଥର ୨୦୧୮ରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଏହି ମୁକାବିଲାରେ ଭାରତ ଇନିଂସ ଓ ୨୬୨ ରନରେ ଆଫଗାନିସ୍ତାନକୁ ହରାଇଥିଲା । ଏଥର ଆଫଗାନିସ୍ତାନ ଟିମ ହଶମତୁଲ୍ଲା ଶାହିଦୀଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ । ହେଲେ ଭାରତ କେଉଁ ଚୂଡାନ୍ତ ଏକାଦଶ ସହ ମଇଦାନକୁ ଓହ୍ଲାଇବ ତା ଉପରେ ସଭିଙ୍କ ନଜର । ଉଲ୍ଲେଖନୀୟ ଏହି ଟେଷ୍ଟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତରେ ଖେଳା ଯାଉ ନାହିଁ।
ପିଚ୍ ରିପୋର୍ଟ
ମୁଲ୍ଲାନପୁର ମଇଦାନରେ ପ୍ରଥମ ଥର କୌଣସି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳ ପାଇଁ ପିଚ୍ କେମିତି ରହିବ ପୂର୍ବାନୁମାନ କରିବା ମୁସ୍କିଲ । ପିଚ୍ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ସୁହାଇପାରେ । ଯେମିତି ଯେମିତି ପିଚ୍ ପୁରୁଣା ହେବ ଏହା ବ୍ୟାଟରଙ୍କ ପାଇଁ ବଡ ସଟ୍ ଲଗାଇବା ଉପଯୋଗୀ ହେବ । ଯଦି ମୁକାବିଲା ଚତୁର୍ଥ କିମ୍ବା ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଏ ତେବେ ପିଚ୍ ସ୍ପିନରଙ୍କୁ ସୁହାଏ ।
ଭାରତର ସମ୍ଭାବିତ ଏକାଦଶ
କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ଓିକେଟ୍ କିପର), ୱାଶିଂଟନ ସୁନ୍ଦର, ହର୍ଷ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଗୁରନୁର ବରାର ଓ ପ୍ରସିଦ୍ଧ କୃଷ୍ଣ ।
ଆଫଗାନିସ୍ତାନର ସମ୍ଭାବିତ ଏକାଦଶ
ଅବଦୁଲ ମଲିକ, ସେଦିଫୁଲ୍ଲା ଅଟଲ, ରେହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି(ଅଧିନାୟକ), ଅଫସର ଜଜଇ, ରହମତ ଶାହ, ଅହମତୁଲ୍ଲା ଉମରଜାଇ, ଶରାଫୁଦ୍ଦୀନ ଅଶରଫ, ନାଙ୍ଗେୟାଲିୟା ଖାରୋଟେ, କେସ ଅହମ୍ମଦ, ଜିଆଉର ରେହମାନ ।