ପାଟନା: ବିହାରର ଚର୍ଚ୍ଚିତ ଶିକ୍ଷକ ତଥା ସୋସିଆଲ ମିଡିଆ ଷ୍ଟାର୍ ଖାନ୍ ସାରଙ୍କ ମୁସ୍କିଲ ଥମିବାର ନାଁ ନେଉନି । ତାଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଏବେ ନିଜେ ଖାନ୍ ସାର୍ଙ୍କ ଆଡ଼କୁ ମୁହାଁଇଛି। ଏହି ମାମଲାରେ ପୋଲିସ ଆକ୍ସନ ମୋଡ୍କୁ ଆସି ସାରିଥିବା ବେଳେ ଖାନ୍ ସାର୍ଙ୍କ ଦୁଇଜଣ ବଡିଗାର୍ଡଙ୍କୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ଗୁରୁବାର ପୋଲିସ ଖାନ୍ ସାର୍ଙ୍କୁ ମଧ୍ୟ ଜେରା କରିଛି। ସୂତ୍ର ଅନୁସାରେ, ଏବେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରସ୍ତୁତି ଚଳାଇଛି, ଯଦିଓ ଏନେଇ ପୋଲିସ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ। ଖାନ୍ ସାର୍ଙ୍କ ବିରୋଧରେ ରୁଜୁ ହୋଇଥିବା FIR ରେ ଅନେକ ସାଙ୍ଘାତିକ ଓ ଚମକାଇଦେବା ଭଳି ଅଭିଯୋଗ ଲଗାଯାଇଛି।
FIR ରେ କ’ଣ ରହିଛି ଅଭିଯୋଗ ?
ଗଣମାଧ୍ୟମ ହସ୍ତଗତ ହୋଇଥିବା ଏଫଆଇଆର କପି ଅନୁସାରେ, କୋଚିଂ ସେଣ୍ଟର ବାହାରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ଗୁଳି ଚଳାଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ପୂରା ଗୁଳିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଫଆଇଆରରେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ, ଉତ୍ତ୍ୟକ୍ତ ଭିଡ଼କୁ ଦେଖି ଖାନ୍ ସାର୍ ନିଜେ ଉସୁକାଇବା ଭଳି ବୟାନ ଦେଇଥିଲେ। ସେ ତାଙ୍କ ଗାର୍ଡମାନଙ୍କୁ କହିଥିଲେ "କ’ଣ ଦେଖୁଛ? ଭିଡ଼ ଉପରକୁ ତୁରନ୍ତ ଗୁଳି ଚଳାଅ, ଯାହା ହେବ ମୁଁ ନିଜେ ଦେଖିନେବି...।"
ଖାନ୍ ସାର୍ଙ୍କ ଏହି ନିର୍ଦ୍ଦେଶ ପାଇବା ପରେ ହିଁ ତାଙ୍କ ସୁରକ୍ଷାକର୍ମୀମାନେ ଆଖିବୁଜା ଫାୟାରିଂ କରିଥିଲେ। ଭାଇରାଲ ଭିଡିଓ ଆଧାରରେ ପୋଲିସ ଉଭୟ ଗାର୍ଡଙ୍କୁ ଚିହ୍ନଟ କରି ଗିରଫ କରିଛି।
ରାଜପଥକୁ ଓହ୍ଲାଇଲେ ଛାତ୍ର: "ଖାନ୍ ସାର୍ଙ୍କୁ ଗିରଫ କର"
ଏହି ଘଟଣାକୁ ନେଇ ପାଟନାରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଛି। 'ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟର'ର ଶତାଧିକ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଖାନ୍ ସାର୍ଙ୍କ ଗିରଫଦାରୀ ଦାବି କରିଛନ୍ତି। କାର୍ଗିଲ ଛକରେ ଛାତ୍ରମାନେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରି ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ଛାତ୍ରଙ୍କ ଅଭିଯୋଗ ଅନୁସାରେ, ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟରର ଡାଇରେକ୍ଟର ରୌଶନ ଆନନ୍ଦଙ୍କୁ ଫସାଇବା ପାଇଁ ଖାନ୍ ସାର୍ ଜାଣିଶୁଣି ମିଛ ଅଭିଯୋଗ ଆଣିଛନ୍ତି। ରୌଶନ ସାର୍ଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଛାତ୍ରମାନେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।
ଜେପି ଆନ୍ଦୋଳନଠାରୁ ବି ବଡ଼ ବିକ୍ଷୋଭ ହେବ - ଛାତ୍ରଙ୍କ ଚେତାବନୀ
ଆନ୍ଦୋଳନରତ ଛାତ୍ରମାନେ ପୋଲିସ ଓ ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଯଦି ରୌଶନ ସାର୍ଙ୍କୁ ତୁରନ୍ତ ଖଲାସ କରା ନଯାଏ ଏବଂ ଗୁଳିକାଣ୍ଡର ମୁଖ୍ୟ ସୂତ୍ରଧର ଖାନ୍ ସାର୍ଙ୍କୁ ଗିରଫ କରା ନଯାଏ, ତେବେ ବିହାରରେ ଐତିହାସିକ 'ଜେପି ଆନ୍ଦୋଳନ'ଠାରୁ ମଧ୍ୟ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ।