ପାଟନା: ପାଟନାରେ ଦୁଇ କୋଚିଂଙ୍କ ଝଗଡାରେ ରୌଶନ ଆନନ୍ଦ ସାରଙ୍କ ଜେଲ୍ ଯିବା ପରେ ଏବେ ଫୈଜଲ ଖାନ ଓରଫ ଖାନ ସାର ଗିରଫ ହେବାର ସମ୍ଭାବନା ରହିଛି । ପାଟନା ପୋଲିସ କୋଚିଂ ସେଣ୍ଟର ଉପରେ ଫାୟରିଂର ମିଛ ସୂଚନା ଦେବାକୁ ନେଇ ଖାନ ସାରଙ୍କ ବିରୋଧରେ ଆର୍ମ୍ସ ଆକ୍ଟର କେସ ରୁଜୁ ହୋଇଛି । ଏହି ମାମଲାରେ ଗତକାଲି ଫାୟରିଂର ଭିଡିଓ ସାମ୍ନାକୁ ଆସିବା ପରେ ଖାନ ସାରଙ୍କ ଦୁଇ ବଡିଗାର୍ଡଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବନ୍ଧୁକ ମଧ୍ୟ ଜବତ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ତେବେ ସୂତ୍ର ଅନୁଯାୟୀ, ଖାନ ସାରଙ୍କ ନାଁରେ ବି ଏଫଆଇଆର ରୁଜୁ କରାଯାଇଛି । ଆର୍ମ୍ସ ଆକ୍ଟ ଆଧାରରେ ରୁଜୁ ମୋକଦ୍ଦମାରେ ନାଁ ଆସିବା ପରେ ଯଦି କୋର୍ଟରୁ ଜାମିନ ନ ମିଳେ ତେବେ ଖାନ ସାର ଗିରଫ ହୋଇ ପାରନ୍ତି ।
ଏଫଆଇଆରରେ ନିଜର ନାଁ ଯୋଡାଯିବା ପରେ ଖାନ ସାର ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି ଯେ, ଘଟଣା ସମୟରେ ସୁରକ୍ଷା ଗାର୍ଡ ଆତ୍ମରକ୍ଷା ପାଇଁ ଫାୟରିଂ କରିଥିଲେ । ଖାନ ସାର ମଙ୍ଗଳବାର ରାତିର ଘଟଣା ପରେ ଦାବି କରିଥିଲେ ଯେ, ତାଙ୍କ କୋଚିଂ ସେଣ୍ଟର ଉପରେ ହମଲା ସମୟରେ ଅନେକ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସକାଳ ସେ ନିଜ ଦାବିରୁ ପଛକୁ ହଟି କହିଥିଲେ ଯେ, ଘଟଣା ପରେ ତାଙ୍କ ଗାର୍ଡ ଯାହା କହିଥିଲେ ତାଙ୍କୁ ସେ ସେହି କଥା ହିଁ କହିଛନ୍ତି ।
ଗୁରୁବାର ସକାଳେ ରୌଶନ ଆନନ୍ଦଙ୍କ କୋଚିଂ ସେଣ୍ଟର ଜ୍ଞାନ ବିନ୍ଦୁ ଖାନ ସାର ସାରଙ୍କ ଗାର୍ଡ ଫାୟରିଂ କରୁଥିବା ଭିଡିଓ ଦେଖାଇ ପୋଲିସ ନିକଟରେ ଖାନ ସାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ମାମଲାରେ ଖାନ ସାରଙ୍କ ଦୁଇ ବଡିଗାର୍ଡଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ମାରଣାସ୍ତ୍ରର ଫରେନ୍ସିକ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି ।
ଖାନ ସାର ଓ ରୌଶନ ଆନନ୍ଦ ସାରଙ୍କ ମଧ୍ୟରେ ଏହି ଝଗଡାର କାରଣ ବିହାର ପୋଲିସର ସିପାହୀ ନିଯୁକ୍ତିରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନେଇ ଶ୍ରେୟର ଲଢେଇ । ପାଟନାର କୋଚିଂ ସଞ୍ଚାଳକ ଗୁରୁ ରେହମାନ ମିଡିଆରେ କହିଥିଲେ ଯେ, ଦୁଇ କୋଚିଂ ମଧ୍ୟରେ ପାସ୍ ଆଶାୟୀଙ୍କୁ ନେଇ ବିବାଦ ଲାଗି ରହିଥିଲା । ଏହାର ଅର୍ଥ ପାସ୍ କରିଥିବା ଆଶାୟୀଙ୍କୁ ଦୁଇ କୋଚିଂ ସେଣ୍ଟର ପଢାଇଥିବା ଦାବି କରି ଶ୍ରେୟ ନେଉଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀଙ୍କୁ ନେଇ ଗୋଟିଏ କୋଚିଂରେ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା ।
ଅନ୍ୟ କୋଚିଂରେ ମଧ୍ୟ କିଛି ଆଶାୟୀ ଆସିଥିଲେ । ଏହାକୁ ନେଇ ସୃଷ୍ଟି ବିବାଦ ଝଗଡାର ରୂପ ନେଇଥିଲା । ଏହା ପରେ ଖାନ ସାରଙ୍କ କୋଚିଂ ଉପରେ ହମଲା ହୋଇଥିଲା । ଖାନ ସାରଙ୍କ ଜଣେ ସୁରକ୍ଷାକର୍ମୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି କେସରେ ଗୋଟିଏ କୋଚିଂ ସେଣ୍ଟରର ମାଲିକ ରୌଶନ ଆନନ୍ଦ ସାର ସମେତ କିଛି ବ୍ୟକ୍ତି ଜେଲରେ ଅଛନ୍ତି ।