ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ରାଜ୍ୟସଭା ଉପନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି (ଶୁକ୍ରବାର) ଆନୁଷ୍ଠାନିକ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତିନି ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ଅବସରରେ ବିଜେପିର ଶକ୍ତି ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା।
ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ଦଳର ବହୁ ବିଧାୟକ ଉପସ୍ଥିତ ରହି ଦେବାଶିଷଙ୍କୁ ସମର୍ଥନ ଜଣାଇଥିଲେ। ଏହାକୁ ଦଳ ପକ୍ଷରୁ ଏକତା ଓ ଆତ୍ମବିଶ୍ୱାସର ବଡ଼ ବାର୍ତ୍ତା ବୋଲି ଦେଖାଯାଉଛି।
ଗତ ମାସ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଥିଲା ନିର୍ବାଚନ ଆୟୋଗ। ଆସନ୍ତା ୧୮ ତାରିଖରେ ଏହି ଉପନିର୍ବାଚନ ହେବାକୁ ଥିବାବେଳେ ବିଜେପି ଦେବାଶିଷଙ୍କ ଉପରେ ପୁଣି ଭରସା ଦେଖାଇଛି।
ଗୁରୁବାର ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଓଡ଼ିଶାର ଏକମାତ୍ର ଖାଲି ଆସନ ପାଇଁ ଦେବାଶିଷ ସାମନ୍ତରାୟଙ୍କ ନାଁ ଘୋଷଣା କରାଯାଇଥିଲା। ଏହା ସହ ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଓ ମଣିପୁର ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।
ଏବେ ସମସ୍ତଙ୍କ ନଜର ଜୁନ୍ ୧୮ର ଉପନିର୍ବାଚନ ଉପରେ। ବିଧାନସଭାର ସଂଖ୍ୟାବଳକୁ ଦେଖିଲେ ଦେବାଶିଷଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ନାମାଙ୍କନ ଦାଖଲ ସହ ରାଜ୍ୟସଭା ଉପନିର୍ବାଚନର ରାଜନୈତିକ ଉଷ୍ମତା ଆହୁରି ବଢ଼ିଯାଇଛି।