ଭୁବନେଶ୍ୱର: ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ମବ୍ ଲିଞ୍ଚିଂ ମାମଲାରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପଟେ ଜାତୀୟ ମାନବାଧିକାର କମିଶନ (NHRC) ଘଟଣାର ପ୍ରତ୍ୟେକ ଦିଗକୁ ଖୋଳତାଡ଼ କରୁଥିବା ବେଳେ, ସେପଟେ କ୍ରାଇମବ୍ରାଞ୍ଚ ମଧ୍ୟ ବୈଜ୍ଞାନିକ ଓ ଡିଜିଟାଲ ପ୍ରମାଣ ଆଧାରରେ ତଦନ୍ତକୁ ଆହୁରି ତୀବ୍ର କରିଛି। ତଦନ୍ତ ଏବେ କେବଳ ଅଭିଯୁକ୍ତଙ୍କ ମଧ୍ୟରେ ସୀମିତ ନ ରହି, ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘେରି ଆଗକୁ ବଢ଼ୁଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ମାମଲାରେ ସମ୍ପୂର୍ଣ୍ଣ ବୈଜ୍ଞାନିକ ତଦନ୍ତ କରାଯାଉଛି। ଘଟଣା ଦିନ ସ୍ଥଳରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରାଯାଇଛି। ମୋବାଇଲରୁ ମିଳିଥିବା ଫଟୋ, ଭିଡିଓ, କଲ୍ ରେକର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଆଧାରରେ ଅନେକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏହି ଡିଜିଟାଲ ଏଭିଡେନ୍ସ ଆଧାରରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗାମୀ ଦିନରେ ଆଉ ଅନେକ ଗିରଫଦାରୀ ହୋଇପାରେ ବୋଲି ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
ଅନ୍ୟପଟେ, NHRC ତଦନ୍ତ ମଧ୍ୟ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ସୌମ୍ୟରଞ୍ଜନଙ୍କ ପ୍ରେମିକା କମିଶନ ସମ୍ମୁଖରେ ହାଜର ହୋଇ ନିଜ ବୟାନ ରଖିଥିଲେ। ଏହାସହ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ, ବାଲିଅନ୍ତା ଥାନାର ପୂର୍ବତନ ତଦନ୍ତକାରୀ ଅଧିକାରୀ ଓ ଜଣେ ଏସିପିଙ୍କୁ ମଧ୍ୟ କମିଶନ ପଚରାଉଚରା କରିଛି।
ତଦନ୍ତରେ ସୌମ୍ୟରଞ୍ଜନଙ୍କ ବନ୍ଧୁ ‘ଓମ୍’ଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ବଢ଼ୁଥିବା ଚର୍ଚ୍ଚା ହେଉଛି। ଘଟଣା ଦିନ ସେ ସୌମ୍ୟରଞ୍ଜନଙ୍କ ସହ ଥିବାରୁ କମିଶନ ପୂର୍ବରୁ ତାଙ୍କ ବୟାନ ରେକର୍ଡ କରିସାରିଛି। ସେହିପରି ସୌମ୍ୟରଞ୍ଜନଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଥିବା ଯୁବତୀ ଏବଂ ତାଙ୍କ ପ୍ରେମିକାଙ୍କ ବୟାନ ମାମଲାରେ ନୂଆ ଦିଗ ଖୋଲିପାରେ ବୋଲି ଅନୁମାନ କରାଯାଉଛି।
ତେବେ NHRC ତଦନ୍ତକୁ ନେଇ ପ୍ରଶ୍ନ କରାଯିବାରୁ କ୍ରାଇମବ୍ରାଞ୍ଚ ଡିଜି କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଏବେ ସମସ୍ତଙ୍କ ନଜର NHRCର ଚୂଡ଼ାନ୍ତ ରିପୋର୍ଟ ଓ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ଉପରେ। ମୋବାଇଲ୍ ଡାଟା ଓ ଡିଜିଟାଲ ପ୍ରମାଣ କି ଏହି ବହୁଚର୍ଚ୍ଚିତ ମାମଲାର ସମ୍ପୂର୍ଣ୍ଣ ସତ୍ୟ ଉନ୍ମୋଚନ କରିପାରିବ? ତାହାକୁ ନେଇ ରାଜ୍ୟବାସୀଙ୍କ ଉତ୍କଣ୍ଠା ବଢ଼ିଚାଲିଛି।