ଓଡ଼ିଆ ସାହିତ୍ୟ, ନାଟକ, ଇତିହାସ ଏବଂ କଳା ଗବେଷଣା ଜଗତର ଅନନ୍ୟ ପ୍ରତିଭା ତଥା 'ସୃଜନର ସମ୍ରାଟ' ଜଗନ୍ନାଥ ପ୍ରସାଦ ଦାସ (ଜେ.ପି. ଦାସ)ଙ୍କର ୯୦ ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ପୂର୍ବ ସଂକଳ୍ପ ଅନୁଯାୟୀ, ଆଜି ଏମ୍ସ ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ପାର୍ଥିବ ଶରୀରକୁ ଚିକିତ୍ସା ବିଜ୍ଞାନର ଗବେଷଣା ପାଇଁ ଭୁବନେଶ୍ୱର ଏମ୍ସକୁ ଦାନ କରାଯାଇଛି। ମୃତ୍ୟୁ ପରେ ମଧ୍ୟ ସମାଜ ପାଇଁ କାମରେ ଆସିବାର ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସୃଜନଶୀଳ ଦୁନିଆରେ ତାଙ୍କର ଅବଦାନ ଏବଂ ଏହି ମହାନ ଦେହଦାନ ନିଷ୍ପତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଶାସନିକ ସେବା ଓ କଳାହାଣ୍ଡି ଦୁର୍ଭିକ୍ଷ
୧୯୩୬ ଏପ୍ରିଲ ୨୬ରେ ପୁରୀରେ ଜନ୍ମିତ ଜେ.ପି. ଦାସ ରେଭେନ୍ସା କଲେଜ ଓ ଆଲାହାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶେଷ କରି ୧୯୫୮ରେ ଆଇଏଏସ୍ (IAS) ଭାବେ ଯୋଗ ଦେଇଥିଲେ। ୧୯୬୫-୬୬ ମସିହାରେ କଳାହାଣ୍ଡି ଜିଲ୍ଲାପାଳ ଥିବାବେଳେ ଦୁର୍ଭିକ୍ଷ ପରିସ୍ଥିତିର ସଫଳ ମୁକାବିଲା କରି ସେ ନିଜର ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଥିଲେ। ୧୯୮୪ରେ ସ୍ୱେଚ୍ଛାକୃତ ଅବସର ନେଇ ସେ ସମ୍ପୂର୍ଣ୍ଣ ଭାବେ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ।
ଆନ୍ତର୍ଜାତୀୟ ଖ୍ୟାତି ଓ ସାରସ୍ୱତ କୃତି
ତାଙ୍କ ରଚିତ ‘ପ୍ରଥମ ପୁରୁଷ’, ‘ଆହ୍ନିକ’ (ସାହିତ୍ୟ ଏକାଡେମୀ ପୁରସ୍କାର), ‘ପରିକ୍ରମା’ (ସରସ୍ୱତୀ ସମ୍ମାନ) ଏବଂ କାଳଜୟୀ ଉପନ୍ୟାସ ‘ଦେଶ କାଳ ପାତ୍ର’ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ଭଳି ନାଟକ ଦ୍ୱାରା ସେ ଓଡ଼ିଆ ରଙ୍ଗମଞ୍ଚକୁ ନୂଆ ଦିଗ ଦେଇଥିଲେ। ଓଡ଼ିଶାର ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳା ଉପରେ ତାଙ୍କର ଗବେଷଣାଧର୍ମୀ ପୁସ୍ତକ ‘ପୁରୀ ପେଣ୍ଟିଂସ୍’ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିକୁ ପ୍ରତିଷ୍ଠିତ କରିଥିଲା। ତାଙ୍କ ପ୍ରୟାସରେ ଓଡ଼ିଆ ସାହିତ୍ୟ ସ୍ୱିଡିସ, ଉର୍ଦ୍ଦୁ, ଫରାସୀ ଓ ଇଂରାଜୀ ଭାଷାରେ ଅନୁଦିତ ହୋଇ ଆନ୍ତର୍ଜାତିକ ସ୍ତରରେ ଆଦୃତ ହୋଇପାରିଛି।