ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ବସିଛି ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ସକାଳ ୧୦ଟା ୩୦ ମିନିଟ୍ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ଏହି ବୈଠକରେ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ। ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକକୁ ନେଇ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
ଆସନ୍ତା ସ୍ନାନଯାତ୍ରା, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ବାହୁଡାଯାତ୍ରାର ସୁପରିଚାଳନା ପାଇଁ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଏହି ବୈଠକରେ ଅନୁମୋଦନ କରାଯିବ। ଗତ ୩୧ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍-କମିଟି ବୈଠକର ବିବରଣୀ ମଧ୍ୟ ଅନୁମୋଦନ ପାଇଁ ଉପସ୍ଥାପିତ ହେବ।
ଏହା ସହିତ ପ୍ରକଳ୍ପ ସାଂସ୍କୃତିକ ସବ୍-କମିଟି, ପ୍ରକଳ୍ପ ବୈଷୟିକ ସବ୍-କମିଟି ଓ ନୀତି ସବ୍-କମିଟିର ବିଭିନ୍ନ ବୈଠକର ସୁପାରିଶ ଉପରେ ମଧ୍ୟ ମୋହର ଲାଗିପାରେ। ବିଶେଷକରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା, ନୀତିକାନ୍ତିର ସୁଚାରୁ ପରିଚାଳନା ଏବଂ ଭକ୍ତଙ୍କ ସୁବିଧାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି।
ତେବେ ସବୁଠୁ ଅଧିକ ନଜର ରହିଛି ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ। ଜୁନ୍ ମାସରେ କେଉଁ କେଉଁ ଦିନ ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ଯାଞ୍ଚ କରାଯିବ, ସେନେଇ ଆଜିର ବୈଠକରେ ତାରିଖ ଚୂଡ଼ାନ୍ତ ହୋଇପାରେ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ରଥଯାତ୍ରା ପ୍ରସ୍ତୁତି ଓ ରତ୍ନଭଣ୍ଡାର ସମ୍ପର୍କିତ ନିଷ୍ପତ୍ତି ଆଜିର ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।