ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ରଥ ନିର୍ମାଣର ୪୫ତମ ଦିବସ ସଫଳତାର ସହ ସମ୍ପନ୍ନ ହୋଇଛି। ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଆଜି ତିନି ରଥରେ ବଡ଼ ପୋଲ ଗୟଳ ସହ ଚାରି ନାହାକା (ରଥର ମୁଖ୍ୟ ସ୍ତମ୍ଭ) ଉଠାଯାଇଛି। ଏହା ସହିତ ରଥର ପାର୍ଶ୍ୱ ନିରାଡ଼ି ମଧ୍ୟ ଉଠିଛି। ଗତକାଲି ତିନିରଥ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ଘଡିମୁହଁ ଅଗ ପାତେଳି, ଚଉରସ ବା ଦଣ୍ଡା ବିଡିଆ ଏବଂ ପୋଖରିଆ କଣ୍ଟା ବାଡ଼ିଆ କାମ ସରିଛି। ଦୋଳବେଦି କମାରଶାଳରେ ଓଝା କମାର ସେବକମାନେ ଗରଗରା କଣ୍ଟା କାର୍ଯ୍ୟ ଶେଷ କରିଛନ୍ତି ଏବଂ ଗୟଳର ଚଉପଟ ନିର୍ମାଣ ଜାରି ରହିଛି। ରୂପକାର ସେବକମାନେ ବେଦି ସିଂହାସନ ମୁହାଁଟିରେ କଳାତ୍ମକ ଚିତ୍ର ଖୋଦେଇ କରୁଛନ୍ତି। ନାଟ ଗୋଡ଼ଗୁଡ଼ିକରେ 'କନ୍ଦର୍ପ ରୂପ' ଖୋଦେଇ ପାଇଁ ଚିତ୍ର ଅଙ୍କନ ଶେଷ ହୋଇ କାର୍ଯ୍ୟ ଜାରି ରହିଛି। ସେହିପରି ପାହି ମହାରଣାମାନେ ଅଣସର ଓ ରଥଯାତ୍ରା ନୀତି ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି।