ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ଏହି ୫ ମହଲା ବିଶିଷ୍ଟ ସମନ୍ୱିତ ପ୍ରକଳ୍ପ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିପିଲି ଚାନ୍ଦୁଆ ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଏହାକୁ ବିଶ୍ୱ ବଜାର ସହ ଯୋଡ଼ାଯିବ। ଏହାଦ୍ୱାରା ୬ ହଜାରରୁ ଅଧିକ କାରିଗର ଉପକୃତ ହେବେ। କାରିଗରଙ୍କ ପାଇଁ ଏଠାରେ ଏକ ‘ର ମ୍ୟାଟେରିଆଲ୍ ବ୍ୟାଙ୍କ’ ସହ ମହିଳା SHG ମାଆମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଓ ପ୍ୟାକେଜିଂ ପ୍ରଶିକ୍ଷଣ ଦିଆଯିବ। ଏହି ଅବସରରେ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଏହି ୫ ମହଲା ‘କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍’ରେ ୫୦ଟି ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଓଡ଼ିଆ ଫୁଡ୍ କୋର୍ଟ ଓ ରଙ୍ଗମଞ୍ଚ ରହିବ। ଏଠାରେ ଓଡ଼ିଶାର ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜିଆଇ (GI) ମାନ୍ୟତାପ୍ରାପ୍ତ କଳାର ବିକ୍ରୟ ହେବ। କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ସମ୍ବିତ ପାତ୍ର, ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଧାୟକ ଓମ୍ ପ୍ରକାଶ ମିଶ୍ର, ବିଧାୟିକା ଉପାସନା ମହାପାତ୍ର, ସଚିବ ଗୁହା ପୁନମ ତାପସ କୁମାର ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।