କଟକ: କଟକରେ ବିଜୁ ଜନତା ଦଳ (ବିଜେଡି) ସଂଗଠନକୁ ଲାଗିଛି ଆଉ ଏକ ବଡ଼ ଝଟକା। ଗତ କିଛି ଦିନ ଧରି ଦଳରୁ ବରିଷ୍ଠ ନେତାମାନଙ୍କ ବିଦାୟ ଚର୍ଚ୍ଚାରେ ଥିବାବେଳେ ଏବେ ଛାତ୍ର ସଂଗଠନରେ ମଧ୍ୟ ଅସନ୍ତୋଷ ସାମ୍ନାକୁ ଆସିଛି। କଟକ ଜିଲ୍ଲା ବିଜେଡିର ପୂର୍ବତନ ଛାତ୍ର ସଭାପତି ଆସିଫ୍ ଅମିନ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। କେବଳ ସେ ନୁହେଁ, ତାଙ୍କ ସହ ଶତାଧିକ ଛାତ୍ର କର୍ମୀ ଓ ସମର୍ଥକ ମଧ୍ୟ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିବା ଜଣାପଡ଼ିଛି।
କଟକ ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସିଫ୍ ଅମିନ ନିଜ ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରିଛନ୍ତି। ଦୀର୍ଘଦିନ ଧରି ସେ ଦଳ ପାଇଁ ନିଷ୍ଠାର ସହ କାମ କରିଥିଲେ ମଧ୍ୟ ତାଙ୍କୁ ଏବଂ ଅନେକ ତୃଣମୂଳ କର୍ମୀଙ୍କୁ ଯଥୋଚିତ ସମ୍ମାନ ଓ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁସାରେ, ସଂଗଠନରେ ତଳସ୍ତରର କର୍ମୀଙ୍କ ମତାମତକୁ ଆଉ ଗୁରୁତ୍ୱ ଦିଆଯାଉନାହିଁ। ଦଳୀୟ ନିଷ୍ପତ୍ତିରେ ସାଧାରଣ କର୍ମୀଙ୍କ ଭୂମିକା କମିଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ ବଢ଼ିବା ଫଳରେ ସଂଗଠନରେ ଅସନ୍ତୋଷ ତୀବ୍ର ହୋଇଛି। ଏପରି ପରିସ୍ଥିତିରେ ଦଳରେ ରହି କାମ କରିବା ଆଉ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ଆସିଫ୍ ଅମିନଙ୍କ ଇସ୍ତଫା ଏବଂ ତାଙ୍କ ସହ ବହୁ ସଂଖ୍ୟକ ଯୁବ କର୍ମୀଙ୍କ ବିଦାୟ କଟକରେ ବିଜେଡିର ସଂଗଠନ ଉପରେ କିଭଳି ପ୍ରଭାବ ପକାଇବ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଛାତ୍ର ଓ ଯୁବ ସଂଗଠନରେ ଏହି ବିଦ୍ରୋହୀ ସ୍ୱର ଦଳ ପାଇଁ ଚିନ୍ତାର କାରଣ ହୋଇପାରେ।