ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ଆଇନ-ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ତାଙ୍କର ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଆହତ ଯୁବକ ଜଣକ ହେଲେ ତାପସ ବେହେରା। ସୂଚନା ଅନୁସାରେ, ସେ ନିଜର ଡେଲିଭେରୀ କାମ ଶେଷ କରି ଷ୍ଟୋରକୁ ଫେରୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କୁ ପଛପଟୁ ଘେରି ଯାଇଥିଲେ। କୌଣସି ସୁଯୋଗ ନ ଦେଇ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା।
ଅଭିଯୋଗ ଅନୁସାରେ, ଆକ୍ରମଣକାରୀମାନେ ଧାରୁଆ ଅସ୍ତ୍ର ବ୍ୟବହାର କରିଥିଲେ, ଫଳରେ ତାପସଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ତାପସ ରାସ୍ତାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ତାପସଙ୍କ ଅଭିଯୋଗ ଅନୁସାରେ, ଲୁଟ୍ ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଘଟଣାକୁ ଗୁରୁତ୍ୱର ସହ ନେଇ ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ତେବେ ରାଜଧାନୀର ବ୍ୟସ୍ତ ଅଞ୍ଚଳରେ ଏଭଳି ଘଟଣା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ାଇଛି।