ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ବଢୁଥିବା ତାତି ଓ ଅସ୍ୱାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖରାଛୁଟିର ଅବଧି ବୃଦ୍ଧି କରିପାରନ୍ତି। ଏନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ଖରାର ପ୍ରଭାବ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ସରକାର ଗୁରୁତ୍ୱର ସହ ଅନୁଧ୍ୟାନ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ହୋଇଥିବାରୁ ପରିସ୍ଥିତି ଅନୁଯାୟୀ ଖରାଛୁଟି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ।
ସେ କହିଛନ୍ତି, “ଖରାଛୁଟି ବଢ଼ିବ କି ନାହିଁ, ତାହା ସମୟ କହିବ। ସେହି ସମୟରେ ରାଜ୍ୟର ପାଣିପାଗ ପରିସ୍ଥିତି କେମିତି ରହିବ, ତାହାକୁ ଦେଖି ସରକାର ନିଷ୍ପତ୍ତି ନେବେ। ଯଦି ତାତିର ପ୍ରକୋପ କମିବ ନାହିଁ, ତେବେ ଖରାଛୁଟି ବଢ଼ାଇବା ନେଇ ବିଚାର କରାଯିବ।”
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଜୁନ୍ ୨୨ ତାରିଖରେ ରାଜ୍ୟର ସ୍କୁଲଗୁଡ଼ିକ ପୁଣି ଖୋଲିବ। କିନ୍ତୁ ଏବେ ବି ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଉଚ୍ଚ ସ୍ତରରେ ରହିଛି। ଦିନ ବେଳା ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିବା ବେଳେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ ବୋଲି ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକାଶ କରୁଛନ୍ତି।
ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ଘୋଷଣା ଉପରେ ରହିଛି। ଖରା କମିବ ନା ଖରାଛୁଟି ବଢ଼ିବ, ତାହା ଆଗାମୀ କିଛି ଦିନର ପାଣିପାଗ ସ୍ଥିତି ହିଁ ନିର୍ଣ୍ଣୟ କରିବ।