ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁଁ ସିପିଂ ଲାଇନ୍ ପ୍ରଭାବିତ ହେବା ଫଳରେ ବୈଶ୍ୱିକ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ସୌଦି ଆରବର 'ମୱାନି' (Mawani) ଜେଦ୍ଦା ଇସଲାମିକ୍ ପୋର୍ଟରୁ ଭାରତ (ମୁନ୍ଦ୍ରା) ଏବଂ ଜିବୁତି ପାଇଁ ଏକ ନୂଆ ସିପିଂ ସେବା ଆରମ୍ଭ କରିଛି।
ଇରାନ ଉତ୍ତେଜନା ଏବଂ ଆମେରିକାର ବ୍ଲକେଡ୍ (ଅବରୋଧ) ପରଠାରୁ ସମଗ୍ର ମଧ୍ୟପ୍ରାଚ୍ୟର ସିପିଂ ଲାଇନ୍ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ୟୁଏଇ (UAE), ଇରାନ ଠାରୁ ଆରମ୍ଭ କରି ବିଶ୍ୱର ଅନେକ ଦେଶ ସାମୁଦ୍ରିକ ପରିବହନ ପାଇଁ ନୂଆ ରାସ୍ତା ଖୋଜୁଛନ୍ତି। ସୌଦି ଆରବର ପୋର୍ଟସ୍ ଅଥରିଟି (Mawani) ଜେଦ୍ଦା ଇସଲାମିକ୍ ପୋର୍ଟରେ 'ଏମିରେଟ୍ସ ସିପିଂ ଲାଇନ୍' ପକ୍ଷରୁ ପରିଚାଳିତ ହେବାକୁ ଥିବା ଏକ ନୂଆ ସିପିଂ ସର୍ଭିସ୍ ଆରମ୍ଭ କରିଛି। ଏହି ସେବା ଦେଶର ସବୁଠାରୁ ବଡ଼ ରେଡ୍ ସି (ଲୋହିତ ସାଗର) ପୋର୍ଟକୁ ଭାରତ ଏବଂ ଜିବୁତି ସହିତ ଯୋଡ଼ିବ, ଯାହାଦ୍ୱାରା ବାଣିଜ୍ୟିକ ସଂଯୋଗୀକରଣ ଏବଂ ଲଜିଷ୍ଟିକ୍ସ ସେବାକୁ ଅଧିକ ଉନ୍ନତ କରାଯାଇପାରିବ।
ମୱାନି ସୂଚନା ଦେଇଛି ଯେ, ଏହି ନୂଆ ସେବା ଜେଦ୍ଦା ଇସଲାମିକ୍ ପୋର୍ଟକୁ ଭାରତର ମୁନ୍ଦ୍ରା ପୋର୍ଟ ଏବଂ ଜିବୁତିର ପୋର୍ଟ ସହିତ ଯୋଡ଼ିବ। ଏହାସହ ଏହି ରୁଟ୍ରେ ୨,୧୪୪ 'ଟ୍ୱେଣ୍ଟି-ଫୁଟ୍ ଇକ୍ୱିଭାଲେଣ୍ଟ ୟୁନିଟ୍ସ' (TEUs) ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରିବାର କ୍ଷମତା ରହିଛି। ଅଥରିଟି କହିଛି ଯେ ଏହି ନୂଆ ସେବା ସପ୍ଲାଇ ଚେନ୍ର କ୍ଷମତାକୁ ବଢ଼ାଇବ ଏବଂ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ପଥ ମଧ୍ୟରୁ ଅନ୍ୟତମ ରେଡ୍ ସି ଦେଇ ହେଉଥିବା ବ୍ୟାପାରକୁ ସହଜ କରିବ।
ଗ୍ଲୋବାଲ୍ ଲଜିଷ୍ଟିକ୍ସରେ ସୌଦି ଆରବର ସ୍ଥିତି ସୁଦୃଢ଼ ହେଉଛି
ଏହି ପଦକ୍ଷେପ ମୱାନିର ସେହି ରଣନୀତିର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ଗ୍ଲୋବାଲ୍ ଲଜିଷ୍ଟିକ୍ସ ଏବଂ ଟ୍ରାନ୍ସପୋର୍ଟ ପରଫରମାନ୍ସ ଇଣ୍ଡିକେଟର୍ସରେ ସୌଦି ଆରବର ସ୍ଥିତିକୁ ସୁଧାରିବା ଏବଂ ଏହାସହ ଦେଶର ରପ୍ତାନିକୁ ପ୍ରୋତ୍ସାହିତ କରିବା। ଏହି ପ୍ରୟାସ ସୌଦି ଆରବର 'ନ୍ୟାସନାଲ ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ ଷ୍ଟ୍ରାଟେଜି'ର ଲକ୍ଷ୍ୟ ଅନୁରୂପ ଅଟେ, ଯାହାର ଉଦ୍ଦେଶ୍ୟ ଦେଶକୁ ଏସିଆ, ଆଫ୍ରିକା ଏବଂ ୟୁରୋପକୁ ଯୋଡ଼ୁଥିବା ଏକ ଗ୍ଲୋବାଲ୍ ଲଜିଷ୍ଟିକ୍ସ ହବ୍ ଭାବେ ପ୍ରତିଷ୍ଠିତ କରିବା।
ଭାରତକୁ ମିଳିବ ଫାଇଦା
ଏହି ନୂଆ ସିପିଂ ସେବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ଇରାନ ପକ୍ଷରୁ ହୋର୍ମୁଜ୍ ପ୍ରଣାଳୀ (Strait of Hormuz) ବନ୍ଦ କରାଯିବା ପରଠାରୁ ଭାରତର ଆମଦାନୀ ଏବଂ ରପ୍ତାନି ଉଭୟ ପ୍ରଭାବିତ ହୋଇଛି। ମୱାନି ଜଣାଇଛି ଯେ, ଏହି ନୂଆ ସେବା ଜେଦ୍ଦା ଇସଲାମିକ୍ ପୋର୍ଟକୁ ଭାରତର ମୁନ୍ଦ୍ରା ପୋର୍ଟ ଏବଂ ଜିବୁତିର ପୋର୍ଟ ସହିତ ଯୋଡ଼ିବ। ଏହାପରେ ଆଞ୍ଚଳିକ ଉତ୍ତେଜନା ହେତୁ ସୃଷ୍ଟି ହୋଇଥିବା ବାଧାବିଘ୍ନରୁ ବଡ଼ ଆଶ୍ୱସ୍ତି ମିଳିପାରିବ।