ନୂଆଦିଲ୍ଲୀ: ରୁଷ ଏବଂ ଭାରତର ସମ୍ପର୍କକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ଗୁରୁବାର ଏକ କାର୍ଯ୍ୟକ୍ରମରେ ଭାରତର ସାର୍ବଭୌମତ୍ୱ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିଛନ୍ତି ପୁଟିନ। ସେ କହିଛନ୍ତି ଯେ, ଆମେରିକା ଭାରତ ଉପରେ ରୁଷ ସହ ସମ୍ପର୍କ ଭାଙ୍ଗିବା ପାଇଁ ଯେତେ ଚାପ ପକାଇଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କାହା ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଭାରତ-ଆମେରିକା ମଧ୍ୟରେ ଥିବା ସମ୍ପର୍କ କଦାପି ନୂଆଦିଲ୍ଲୀ ଓ ମସ୍କୋର ବନ୍ଧୁତାକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ରୁଷ ରାଷ୍ଟ୍ରପତିଙ୍କ କହିବାନୁସାରେ, ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତର ଏହି ସଫଳତା ପଛରେ ସେଠାକାର ଜନସାଧାରଣଙ୍କ କଠିନ ପରିଶ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରଣନୀତି ରହିଛି। ଭାରତ ଅନ୍ୟ କୌଣସି ଦେଶ ସହ ସମ୍ପର୍କ ବଢ଼ାଇଲେ, ରୁଷ ତାହାକୁ କେବେ ବି ନକାରାତ୍ମକ ଭାବେ ଦେଖେ ନାହିଁ। ଆଗାମୀ ଦିନରେ ଭାରତ ଏବଂ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ ବୋଲି ପୁଟିନ ଆଶା ବ୍ୟକ୍ତ କରିଛନ୍ତି।
ପୁଟିନ ମୋଦୀଙ୍କ ଉପରେ ଚାପ ପକାଇବା ଅସମ୍ଭବ
ପୁଟିନ ଆମେରିକାର ରଣନୀତିକୁ ସମାଲୋଚନା କରି କହିଛନ୍ତି ଯେ, ୱାଶିଂଟନ ଅନେକ ସମୟରେ ମସ୍କୋ ସହ ସହଯୋଗ ରଖିବା ପ୍ରସଙ୍ଗରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱ ଏବଂ ଭାରତର ନୀତି ଆଗରେ ଏଭଳି ଚେଷ୍ଟା ସମ୍ପୂର୍ଣ୍ଣ ପ୍ରଭାବହୀନ ରହିଛି ।। ଅନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ଭାରତ ଉପରେ ଚାପ ପକାଇବା ଓଲଟା କ୍ଷତିକାରକ ପ୍ରମାଣିତ ହେବ। ଭାରତ ଏହି ଚାପକୁ ସଫଳତାର ସହ ପ୍ରତିହତ କରୁଛି ଏବଂ ରୁଷ ସବୁବେଳେ ଭାରତକୁ ଏକ ଅତି ବିଶ୍ୱାସଯୋଗ୍ୟ ବନ୍ଧୁ ବୋଲି ମାନେ।
Also read: ନା ଇସ୍ତଫା ଦେଇଛନ୍ତି, ନା ନୂଆ ଦଳ ଗଢ଼ୁଛନ୍ତି: ଅନ୍ନାମଲାଇଙ୍କୁ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚେଦ ପକାଇଲେ ତାମିଲନାଡୁ ବିଜେପି ସଭାପତି