ନୂଆଦିଲ୍ଲୀ: ଟାରିଫକୁ ନେଇ ଆମେରିକା କୋର୍ଟରୁ ମାତ୍ ଖାଇବା ପରେ ଏବେ ଟ୍ରମ୍ପ ନୂଆ ଚାଲବାଜି ଖେଳିବା ଆରମ୍ଭ କରିଛନ୍ତି । ଏଥର ବାହାନା ବଳପୂର୍ବକ ଶ୍ରମିକ ଓ କର୍ମଚାରୀଙ୍କ ପାରିଶ୍ରମିକ ଉପରେ ରହିଛି । ଆମେରିକା ଭାରତ ସମେତ ଦୁନିଆର ଅନେକ ବଡ ବଡ ବାଣିଜ୍ୟିକ ସାଥୀ ଦେଶରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ନୂଆ ଟାରିଫ ଲଗାଇବାକୁ ପ୍ରସ୍ତାବ ରଖିଛନ୍ତି । ଆମେରିକା ବାଣିଜ୍ୟିକ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ଭାରତଠୁ ଆସୁଥିବା ସାମଗ୍ରୀ ଉପରେ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ନୂଆ ଟାରିଫ ଲଗାଯାଇପାରେ ।
ଆମେରିକାର କହିବା କଥା ଭାରତ ନିଜ ଦେଶରେ ବଳପୂର୍ବକ କାମ କରାଉଥିବା ସିଷ୍ଟମ ଉପରେ ରୋକ୍ ଲଗାଉ । ଯଦି ଏମିତି ନ ହୁଏ ତେବେ ଆମେରିକା ଆଇନ ଅନୁସାରେ ଏମିତି ସାମଗ୍ରୀ ଉପରେ କଟକଣା ଲଗାଯାଇପାରେ । ଉଲ୍ଲେଖନୀୟ ଟ୍ରମ୍ପ ସରକାର ଭାରତର ଷ୍ଟିଲ ଓ ଆଲୁମିନିୟମ ପରି ଉତ୍ପାଦ ଉପରେ ଯେଉଁ ବଡ ଟ୍ୟାକ୍ସ ଲଗାଇଥିଲେ, ଟ୍ରେଡ ଡିଲ୍ ଆଧାରରେ ଭାରତ ସେହି ଟ୍ୟାକ୍ସକୁ ହଟାଇବାକୁ ଚାହୁଁଛି । ଯଦ୍ୱାରା ଭାରତୀୟ କମ୍ପାନିକୁ ଆମେରିକା ବଜାରରେ ସମାନ ସୁବିଧା ମିଳୁ ।
କେଉଁ ଦେଶ ଉପରେ କେତେ ଟାରିଫ ପ୍ରସ୍ତାବିତ ?
ଲାଇଭ ମିଣ୍ଟ ଅନୁସାରେ ଆମେରିକା କାନାଡା, ମେକ୍ସିକୋ, ୟୁରୋପୀୟ ସଂଘ, ବ୍ରିଟେନ ଓ ତାଇୱାନ ପରି ଦେଶରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ସର୍ବନିମ୍ନ ୧୦ ପ୍ରତିଶତ ଟାରିଫର ପ୍ରସ୍ତାବ ରଖିଛି । ଅନ୍ୟପଟେ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ ଓ ସ୍ୱିଜରଲାଣ୍ଡ ପରି ଦେଶ ପାଇଁ ୧୨.୫ ପ୍ରତିଶତ ଶୁଳ୍କର ପ୍ରସ୍ତାବ ରଖିଛି ।
କଣ କହିଲା ଆମେରିକା ?
ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀର କହିଛନ୍ତି, ଅନେକ ବଡ ବାଣିଜ୍ୟିକ ସହଭାଗୀ ବଳପୂର୍ବକ ଶ୍ରମରୁ ଉତ୍ପାଦିତ ସାମଗ୍ରୀକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଏମିତି ସ୍ଥିତି ଆମେରିକାର ଶ୍ରମିକଙ୍କ ପାଇଁ ଅସମାନତା ପ୍ରତିଯୋଗିତାମୂଳକ ପରିସ୍ଥିତି ଉତ୍ପନ କରୁଛି । ଏବେ ଆମେରିକା ଏହି ବ୍ୟବଧାନକୁ ଆଉ ବରଦାସ୍ତ କରିବ ନାହିଁ । ଗ୍ରୀରଙ୍କ ଅନୁସାରେ, କିଛି ଦେଶ ଆରମ୍ଭରୁ କିଛି ପଦକ୍ଷେପ ଉଠାଇଛନ୍ତି, ମାତ୍ର ସମସ୍ତ ଟ୍ରେଡିଂ ପାର୍ଟନରଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଗ୍ଲୋବାଲ ଟ୍ରେଡ ବଳପୂର୍ବକ ମଜୁରୀକୁ ପ୍ରୋତ୍ସାହନ ନ ଦିଅନ୍ତୁ ।