ଚେନ୍ନାଇ: ତାମିଲନାଡୁ ରାଜନୀତିର ଚର୍ଚ୍ଚିତ ଚେହେରା କେ. ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ଦୀର୍ଘ ଦିନ ଧରି ଚାଲିଥିବା ଅଟକଳ ଉପରେ ଏବେ ବିଧିବଦ୍ଧ ଭାବେ ପୂର୍ଣ୍ଣଚେଦ ପଡ଼ିଛି। ତାମିଲନାଡୁ ବିଜେପି ସଭାପତି ନୈନାର୍ ନାଗେନ୍ଦ୍ରନ୍ ଗୁରୁବାର ଏହି ଗୁଜବ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଅନ୍ନାମଲାଇ ଦଳରୁ ଇସ୍ତଫା ଦେଇନାହାନ୍ତି କିମ୍ବା କୌଣସି ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ କାହା ସହ ଚର୍ଚ୍ଚା ମଧ୍ୟ କରିନାହାନ୍ତି।
ସବୁ ଖବର ଭିତ୍ତିହୀନ ଓ ଗୁଜବ
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ରାଜ୍ୟ ବିଜେପି ସଭାପତି ନାଗେନ୍ଦ୍ରନ କହିଛନ୍ତି, ଅନ୍ନାମଲାଇ ବିଜେପି ଛାଡ଼ୁଥିବା ନେଇ ଯେଉଁ ସବୁ ଖବର ପ୍ରକାଶ ପାଉଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ଦଳର ସଭାପତି ଭାବେ ମୋତେ ତାଙ୍କଠାରୁ କୌଣସି ଇସ୍ତଫା ପତ୍ର ମିଳିନାହିଁ। ଆମ ଭିତରେ କୌଣସି ମତଭେଦ ନାହିଁ। ନୂଆ ଦଳ ଗଠନ କରିବା ପ୍ରସଙ୍ଗରେ ସେ ଆମ ସହ କିମ୍ବା ଆମେ ତାଙ୍କ ସହ କୌଣସି କଥାବାର୍ତ୍ତା ହୋଇନାହୁଁ।
ଅନ୍ନାମଲାଇଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନାଗେନ୍ଦ୍ରନ୍ ପୁଣି ଦୋହରାଇଛନ୍ତି ଯେ, ତାଙ୍କ ଇସ୍ତଫା ଖବର କେବଳ ଏକ ଗୁଜବ ମାତ୍ର। ନିକଟରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନ୍ନାମଲାଇ ଭେଟିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ସାକ୍ଷାତକାରକୁ ନେଇ ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନଥିବାରୁ ଏଭଳି ଗୁଜବ ସୃଷ୍ଟି ହୋଇଥିଲା।
ସମର୍ଥକ ଲଗାଇଲେ ପୋଷ୍ଟର, ରଜନୀକାନ୍ତ ଓ ଅଜିତଙ୍କ ସହ ଯୋଡ଼ାଗଲା ନାଁ
ଅନ୍ନାମଲାଇ ବିଜେପି ଛାଡ଼ୁଥିବା ଚର୍ଚ୍ଚା ଭିତରେ ଗତ ବୁଧବାର ଦଳର ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ସ୍ଥିତି ସ୍ପଷ୍ଟ କରିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ, ଅନ୍ନାମଲାଇ ବିଜେପି ବାହାରକୁ ଆସି ନିଜର ଏକ ସ୍ୱତନ୍ତ୍ର ରାଜନୈତିକ ପରିଚୟ ସୃଷ୍ଟି କରନ୍ତୁ ବୋଲି ତାଙ୍କ ସମର୍ଥକମାନେ ଚାହୁଁଛନ୍ତି। ଏହି କାରଣରୁ ମଦୁରାଇ ସହରରେ କିଛି ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ପୂର୍ବତନ ରାଜ୍ୟ ସଭାପତି ଅନ୍ନାମଲାଇ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତା ଅଜିତଙ୍କ ସହ ହାତ ମିଳାଉଥିବା ଚିତ୍ର ରହିଥିଲା।