ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କୁ ଭାରତୀୟ ବାୟୁସେନା (IAF) ର ପରବର୍ତ୍ତୀ 'ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍' (ଉପମୁଖ୍ୟ) ଭାବେ ନିଯୁକ୍ତ କରାଯାଇଛି। ସେ ଜୁଲାଇ ୧ ରେ ନିଜର ଦାୟିତ୍ୱ ଗ୍ରହଣ କରିବେ। ଦୀକ୍ଷିତ ଜଣେ ଚମତ୍କାର ଫାଇଟର୍ ଏବଂ ଟେଷ୍ଟ ପାଇଲଟ୍, ଯାହାଙ୍କର ମିରାଜ୍-୨୦୦୦ ସମେତ ୨୦ ରୁ ଅଧିକ ପ୍ରକାରର ବିମାନରେ ୩୩୦୦ ରୁ ଅଧିକ ଘଣ୍ଟା ଉଡ଼ାଣର ଅଭିଜ୍ଞତା ରହିଛି। ସେ ଭାରତୀୟ ବାୟୁସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ୱଦେଶୀ ଅପଗ୍ରେଡ୍ ଏବଂ MMRCA ଟ୍ରାଏଲ୍ସରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଉତ୍କୃଷ୍ଟ ଫାଇଟର୍ ଏବଂ ଟେଷ୍ଟ ପାଇଲଟ୍ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କୁ ଦେଶର ପରବର୍ତ୍ତୀ ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ନିଯୁକ୍ତ କରାଯାଇଛି। ସେ ୬ ଡିସେମ୍ବର, ୧୯୮୬ ରେ ଭାରତୀୟ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍ରେ ସାମିଲ ହୋଇଥିଲେ। ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଖଡ଼ଗୱାସଲା), ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (ବାଂଲାଦେଶ) ଏବଂ ନ୍ୟାସନାଲ ଡିଫେନ୍ସ କଲେଜ (ନୂଆଦିଲ୍ଲୀ) ର ପୂର୍ବତନ ଛାତ୍ର ଅଟନ୍ତି।
ସେ ଜଣେ ଯୋଗ୍ୟ ଫ୍ଲାଇଙ୍ଗ୍ ଇନ୍ସଟ୍ରକ୍ଟର ଏବଂ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍, ଯାହାଙ୍କର ମିରାଜ୍-୨୦୦୦, ମିଗ୍-୨୧ ଏବଂ ଜାଗୁଆର ସମେତ ୨୦ ରୁ ଅଧିକ ପ୍ରକାରର ଯୁଦ୍ଧବିମାନ ଉଡ଼ାଇବାର ୩,୩00 ରୁ ଅଧିକ ଘଣ୍ଟାର ଅଭିଜ୍ଞତା ଅଛି। ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ଦକ୍ଷିଣ ସେକ୍ଟରରେ ଏକ ପ୍ରମୁଖ ଫାଇଟର୍ ଟ୍ରେନିଂ ବେସ୍ର କମାଣ୍ଡ ମଧ୍ୟ ସମ୍ଭାଳିଥିଲେ। ସେଠାରେ ତାଙ୍କ ନେତୃତ୍ୱରେ ସେହି ବେସ୍କୁ କମାଣ୍ଡର ସର୍ବୋତ୍ତମ ବେସ୍ ଭାବେ ଚୟନ କରାଯାଇଥିଲା।
ଟେଷ୍ଟ ପାଇଲଟ୍ ଭାବେ କରିଛନ୍ତି କାମ
ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ବାଙ୍ଗାଲୋରର 'ଏୟାରକ୍ରାଫ୍ଟ ଆଣ୍ଡ ସିଷ୍ଟମ୍ସ ଟେଷ୍ଟିଂ ଏଷ୍ଟାବ୍ଲିସମେଣ୍ଟ'ରେ ଟେଷ୍ଟ ପାଇଲଟ୍ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଫ୍ଲାଇଟ୍ ଟେଷ୍ଟ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଭାବେ ସେ ଅନେକ ସ୍ୱଦେଶୀ ଅପଗ୍ରେଡ୍ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ। ଏଥିରେ ଜାଗୁଆର ଏବଂ ମିଗ୍-୨୭ ପାଇଁ ଆଭିଓନିକ୍ସ ଅପଗ୍ରେଡ୍ ମଧ୍ୟ ସାମିଲ ରହିଛି। ଏୟାର ଷ୍ଟାଫ୍ ରିକ୍ୱାରମେଣ୍ଟସର ଡାଇରେକ୍ଟର ଭାବେ ସେ ମିଡିୟମ୍ ମଲ୍ଟି-ରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ (MMRCA) ର ଟ୍ରାଏଲ୍ସର ପ୍ଲାନିଂ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।
ୱିଙ୍ଗ କମାଣ୍ଡର ଦୀକ୍ଷିତ ନିଜର ଚମତ୍କାର ନେତୃତ୍ୱରେ ୧୫ ଡିସେମ୍ବର ୨୦୦୪ ରୁ ୩୧ ମାର୍ଚ୍ଚ ୨୦୦୫ ମଧ୍ୟରେ ୫୦୦ ଘଣ୍ଟାର ସଫଳ ଉଡ଼ାଣ ସମ୍ପୂର୍ଣ୍ଣ କରିଥିଲେ। ସେ ଫ୍ରାନ୍ସରୁ ୧୦ଟି ନୂଆ ମିରାଜ୍-୨୦୦୦ ବିମାନର ମଞ୍ଜୁରୀ ଏବଂ ସୁରକ୍ଷିତ ଫେରି (Ferry) ର ସଞ୍ଚାଳନ କରିଥିଲେ। ଏହା ସହିତ ମିରାଜ୍ ମିଶନ ପ୍ରିପାରେସନ ସିଷ୍ଟମ (MIPSY) ରେ ସୁଧାର ଆଣି 'ଏକ୍ସରସାଇଜ୍ ଗୋଲ୍ଡେନ ଇଗଲ୍' ଏବଂ ଅନ୍ୟାନ୍ୟ ମିଶନରେ ଏହାର ସଫଳତାର ସହ ବ୍ୟବହାର କରିଛନ୍ତି। ସେ ଜଣେ ଦକ୍ଷ କମାଣ୍ଡର ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ।
'ବିଶିଷ୍ଟ ସେବା ମେଡାଲ'ରେ ମଧ୍ୟ ସମ୍ମାନିତ
ଗ୍ରୁପ୍ କ୍ୟାପ୍ଟେନ ଆଶୁତୋଷ ଦୀକ୍ଷିତଙ୍କୁ ମିରାଜ୍-୨୦୦୦ ସ୍କ୍ୱାଡ୍ରନକୁ ‘ଶ୍ରେଷ୍ଠ’ କରିବା ଏବଂ ଜାଗୁଆର ଓ ମିଗ୍-୨୭ ର ସ୍ୱଦେଶୀ ଅପଗ୍ରେଡ୍ ପ୍ରୋଜେକ୍ଟକୁ ସଫଳତାର ସହ ଶେଷ କରିଥିବାରୁ 'ବିଶିଷ୍ଟ ସେବା ମେଡାଲ' (VSM) ରେ ସମ୍ମାନିତ କରାଯାଇଥିଲା। ସେ MMRCA ପ୍ରୋଜେକ୍ଟର ଡାଇରେକ୍ଟର ଭାବେ ୬ଟି ବିଦେଶୀ ଫାଇଟର୍ ଜେଟ୍ର ଜଟିଳ ଫିଲ୍ଡ ଟ୍ରାଏଲ୍ସକୁ ରେକର୍ଡ ସମୟ ମଧ୍ୟରେ ସ୍ୱଚ୍ଛ ଭାବରେ ସମ୍ପୂର୍ଣ୍ଣ କରି ଭାରତୀୟ ବାୟୁସେନା (IAF) ର କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରିଥିଲେ।