ତାମିଲନାଡ଼ୁ ରାଜନୀତିରେ ଏବେ ସବୁଠୁ ଚର୍ଚ୍ଚିତ ନାଁ କେ. ଆନ୍ନାମଲାଇ। ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଆନ୍ନାମଲାଇଙ୍କୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବାର ସଙ୍କେତ ମିଳିଛି। ବିଜେପିରୁ ଇସ୍ତଫା ଦେବା ପରେ ସେ ନିଜର ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା କଥା କହିଛନ୍ତି। ଏହା ସହ ତାମିଲନାଡ଼ୁରେ ଏକ ନୂଆ ରାଜନୈତିକ ଆନ୍ଦୋଳନର ଶୁଭାରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
'ସିଂଘମ' ଭାବେ ପରିଚିତ ଆନ୍ନାମଲାଇ କହିଛନ୍ତି, ତାଙ୍କର ନୂଆ ରାଜନୈତିକ ମଞ୍ଚରେ ବଂଶବାଦ, ପରିବାରବାଦ ଓ ବ୍ୟକ୍ତିପୂଜା ପାଇଁ କୌଣସି ସ୍ଥାନ ରହିବ ନାହିଁ। ସାଧାରଣ ଲୋକଙ୍କ ସ୍ୱର, ଯୁବଶକ୍ତି ଓ ସ୍ୱଚ୍ଛ ରାଜନୀତିକୁ ଆଧାର କରି ଏହି ନୂଆ ଆନ୍ଦୋଳନ ଗଢ଼ାଯିବ ବୋଲି ସେ ଦାବି କରିଛନ୍ତି।
ଆନ୍ନାମଲାଇଙ୍କ କହିବା ଅନୁସାରେ, ଗତ ୧୮ ମାସ ଧରି ବିଜେପିର ଅନେକ ନୀତି ଓ ରଣନୀତି ସହ ସେ ସହମତ ନଥିଲେ। ଦଳ ଭିତରେ ତାଙ୍କ ମତାମତକୁ ଯଥେଷ୍ଟ ଗୁରୁତ୍ୱ ମିଳୁନଥିବା ଅନୁଭବ କରିବା ପରେ ସେ ଏହି ନୂଆ ରାଜନୈତିକ ପଥ ବାଛିଥିବା କଥା ସୂଚନା ଦେଇଛନ୍ତି।
ସବୁଠୁ ବଡ଼ କଥା ହେଉଛି, ଆନ୍ନାମଲାଇ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ନୂଆ ଦଳ ଆଗାମୀ ନିର୍ବାଚନରେ ସିଧାସଳଖ ଭାବେ ଲଢ଼ିବ। ଏହା ସହ ତାମିଲନାଡ଼ୁ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
ଦିଲ୍ଲୀ ଗସ୍ତ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ଓ ସମର୍ଥକଙ୍କ ଲଗାତାର ଚାପ ମଧ୍ୟରେ ଆସିଥିବା ଏହି ଘୋଷଣା ଏବେ ତାମିଲନାଡ଼ୁ ରାଜନୀତିର ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିରୁ ଅଲଗା ହୋଇ ଆନ୍ନାମଲାଇ କେତେ ଦୂର ସଫଳ ହେବେ, ତାହା ସମୟ କହିବ। କିନ୍ତୁ ତାଙ୍କ ଏହି ନୂଆ ଦହାଡ଼ ତାମିଲନାଡ଼ୁର ରାଜନୈତିକ ମଇଦାନରେ ହଲଚଲ ସୃଷ୍ଟି କରିଛି।
ଅନ୍ୟପଟେ ବିଜେପିର ନୂତନ ତାମିଲନାଡ଼ୁ ସଭାପତି ନୈନାର ନାଗେନ୍ଦ୍ରନ ଆନ୍ନାମଲାଇଙ୍କ ପଦକ୍ଷେପକୁ ନେଇ ବିଶେଷ ଚିନ୍ତା ପ୍ରକାଶ କରିନାହାନ୍ତି। ସେ କହିଛନ୍ତି, "ଗଣତନ୍ତ୍ରରେ ସମସ୍ତଙ୍କର ନିଜ ଦଳ ଗଠନ କରିବାର ଅଧିକାର ରହିଛି। ବିଜେପି ଏକ ଆଦର୍ଶଭିତ୍ତିକ ଦଳ ଏବଂ ଜଣେ ବ୍ୟକ୍ତିଙ୍କ ବିଦାୟରେ ଦଳର କୌଣସି କ୍ଷତି ହେବ ନାହିଁ।"
ଏବେ ସମସ୍ତଙ୍କ ନଜର ରହିଛି ଆନ୍ନାମଲାଇଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ବିଜେପିର 'ସିଂଘମ' ଭାବେ ପରିଚିତ ଏହି ନେତାଙ୍କ ନୂଆ ଦଳ ତାମିଲନାଡ଼ୁ ରାଜନୀତିରେ କେତେ ବଡ଼ ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।