ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ରହିଥିବା ବେଳେ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ ଏଏସ୍ପିଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।
ଦକ୍ଷିଣାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶ ଅନୁସାରେ, କବିସୂର୍ଯ୍ୟନଗର ଥାନାର ସ୍ୱାଧୀନ ଦାୟିତ୍ୱରେ ଥିବା ଟ୍ରେନି ଏଏସ୍ପି ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣାରେ କବିସୂର୍ଯ୍ୟନଗର ଥାନାର ସବ୍-ଇନ୍ସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସ୍ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସେହିପରି ହୋମଗାର୍ଡ ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କାର୍ଯ୍ୟରୁ ବାଦ ଦିଆଯାଇଛି। ତାଙ୍କ ବିରୋଧରେ ପରବର୍ତ୍ତୀ ବିଭାଗୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି।
କେବଳ ସେତିକି ନୁହେଁ, ନିରପେକ୍ଷ ତଦନ୍ତ ପାଇଁ କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିରେ କାର୍ଯ୍ୟରତ ଅନ୍ୟ ସମସ୍ତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅନ୍ୟ ସବ୍ଡିଭିଜନକୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ବେଆଇନ ପଥର ଫଟା ମାମଲାରେ ସୁବଳୟା ଗ୍ରାମର ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସୁଶାନ୍ତଙ୍କୁ ପ୍ରାୟ ୭ ଦିନ ଧରି ଥାନାରେ ଅଟକ ରଖି ନିର୍ଘାତ ମାଡ଼ ମରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଆସିକା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ସୁବଳୟା ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଅନ୍ୟପଟେ, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୁଲିସ ବିଭାଗ ସୂଚନା ଦେଇଛି।