ଭଦ୍ରକ ଜିଲ୍ଲାର ଏକ ଚାଞ୍ଚଲ୍ୟକର ଦୁଇ ହତ୍ୟା ମାମଲାରେ ସୋମବାର ଆସିଛି ବହୁ ପ୍ରତୀକ୍ଷିତ ରାୟ। ସ୍ତ୍ରୀ ଓ ନିଜ ନାବାଳକ ପୁଅକୁ ନିର୍ମମ ଭାବେ ହତ୍ୟା କରି ଘର ଭିତରେ ପୋତି ଦେଇଥିବା ଅଭିଯୁକ୍ତ ଅଭୟ ମାଝୀ ଓରଫ କାଳିଆଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୨୦୧୮ ଫେବୃଆରୀ ୨୪ ତାରିଖରେ ଧୁଷୁରୀ ଥାନା ଅଧୀନ ଶାହାପୁର ଗାଁରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ଅଭୟ ମାଝୀ ୨୦୧୨ ମସିହାରେ ନନ୍ଦପୁର ଗାଁର ପଦ୍ମାବତୀଙ୍କୁ ବିବାହ କରିଥିଲେ। ଦୁଇ ସନ୍ତାନକୁ ନେଇ ପରିବାର ସୁଖରେ ଚାଲୁଥିବା ବେଳେ ଚେନ୍ନାଇରେ କାମ କରୁଥିବା ଅଭୟ ଏକ ଦୁର୍ଘଟଣାରେ ନିଜ ହାତର ପାପୁଲି ହରାଇଥିଲେ। କ୍ଷତିପୂରଣ ବାବଦକୁ ୪.୫ ଲକ୍ଷ ଟଙ୍କା ପାଇ ଗାଁକୁ ଫେରି ଆସିଥିଲେ।
ତେବେ ସଂସାର ଖର୍ଚ୍ଚକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ସେହି ବିବାଦ ଏତେ ଭୟଙ୍କର ରୂପ ନେଲା ଯେ, ରାଗରେ ଅଭୟ ପ୍ଲାଷ୍ଟିକ ରସିରେ ପଦ୍ମାବତୀଙ୍କୁ ଗଳା ଚିପି ହତ୍ୟା କରିଦେଲେ। ମା’ର ମୃତ୍ୟୁ ଦେଖି କାନ୍ଦୁଥିବା ନାବାଳକ ପୁଅ ଜୀବନକୁ ମଧ୍ୟ ଛାଡ଼ି ନଥିଲେ। ସାକ୍ଷୀ ରହିଯିବା ଭୟରେ ତାଙ୍କୁ ମଧ୍ୟ ଗଳା ଚିପି ମାରିଦେଇଥିଲେ।
ଅପରାଧ ଲୁଚାଇବା ପାଇଁ ସେହି ରାତିରେ ଘର ଭିତରେ ଗାତ ଖୋଳି ମା’ ଓ ପୁଅଙ୍କ ମୃତଦେହ ପୋତି ଦେଇଥିଲେ ଅଭୟ। ଘଟଣାର ଛଅ ଦିନ ପରେ ସେ ନିଜ ଝିଅକୁ ନେଇ ଶ୍ୱଶୁର ଘରକୁ ଯାଇ ପଦ୍ମାବତୀ ଘର ଛାଡ଼ି ଚାଲିଯାଇଥିବା କହିଥିଲେ। କିନ୍ତୁ ସନ୍ଦେହ ବଢ଼ିବାରୁ ପଦ୍ମାବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ତଦନ୍ତ ବେଳେ ଅଭୟ ନିଜ ଅପରାଧ ସ୍ୱୀକାର କରିଥିଲେ। ଶେଷରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ଶାସ୍ତି ଶୁଣାଇଛନ୍ତି। ନ୍ୟାୟାଳୟଙ୍କ ଏହି ରାୟକୁ ପୀଡ଼ିତ ପରିବାର ନ୍ୟାୟର ବିଜୟ ବୋଲି କହିଛନ୍ତି।