ପାଟନା: ବିହାର ତଥା ଦେଶର ଖ୍ୟାତାନାମା ଶିକ୍ଷକ ତଥା ଖାନ ଗ୍ଲୋବାଲ ଷ୍ଟଡିଜର ସଂସ୍ଥାପକ ଖାନ ସାର କୋଚିଂ ସେଣ୍ଟରରେ ହୋଇଥିବା ହିଂସା ଓ ଫାୟରିଂ ମାମଲାରେ ଶନିବାର ଆତ୍ମସମର୍ପଣ ପାଇଁ ପାଟନା ସିଭିଲ କୋର୍ଟ ପହଞ୍ଚିଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ସନ୍ଧାନରେ ଥିଲା । ବଡିଗାର୍ଡଙ୍କୁ କହି ଫାୟରିଂ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।
ଏଫ୍ଆଇଆର୍ ରୁଜୁ ହେବାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ତାଙ୍କୁ ଗିରଫ ନକରିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେ କେଉଁଠି ଆତ୍ମଗୋପନ କରିଛନ୍ତି, ସେ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏ ସମସ୍ତ ଚର୍ଚ୍ଚା ଭିତରେ ସେ ସିଧାସଳଖ କୋର୍ଟରେ ହାଜର ହେବାକୁ ପହଞ୍ଚିଛନ୍ତି।
ଖାନ ସାର୍ଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଥିବା ଅଭିଯୋଗ ଆଣି ଜ୍ଞାନବିନ୍ଦୁ କୋଚିଂ ସେଣ୍ଟରର ଶିକ୍ଷକ ବରୁଣ ଠାକୁର ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "ପ୍ରଶାସନ ଏହି ମାମଲାରେ ଆଦୌ ତତ୍ପରତା ଦେଖାଉ ନାହିଁ। ରୌଶନ ଆନନ୍ଦଙ୍କୁ ଯେଭଳି ତୁରନ୍ତ ଗିରଫ କରାଗଲା, ସେଭଳି କାର୍ଯ୍ୟାନୁଷ୍ଠାନ ଖାନ ସାର୍ଙ୍କ ବିରୋଧରେ ଦେଖିବାକୁ ମିଳୁନାହିଁ। ଯଦି ପୋଲିସ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନକରେ, ତେବେ ଆମେ ପୁଣି ଥରେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହେବୁ।"
ଗୁଳି ଚଳାଅ, ବାକି ମୁଁ ଦେଖିନେବି- ଫସିଗଲେ ଖାନ ସାର୍
ଖାନ ସାର୍ଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଯାଇଛି। ପୋଲିସ ନିକଟରେ ତାଙ୍କ ସୁରକ୍ଷାକର୍ମୀ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି। ଗାର୍ଡଙ୍କ କହିବା ଅନୁଯାୟୀ, ବିବାଦ ସମୟରେ ଖାନ ସାର୍ ନିର୍ଦ୍ଦେଶ ଦେଇ କହିଥିଲେ, ତୁମେମାନେ ଗୁଳି ଚଳାଅ, ବାକି ଯାହା ହେବ ମୁଁ ସମ୍ଭାଳି ନେବି। ସୁରକ୍ଷାକର୍ମୀଙ୍କ ଏହି ସ୍ୱୀକାରୋକ୍ତି ପୋଲିସର ମାମଲାକୁ ଆହୁରି ମଜବୁତ କରିଛି ଏବଂ ଏହାକୁ ଆଧାର କରି ହିଁ ପୋଲିସ ମାମଲା ରୁଜୁ କରିଛି।
ରାତିସାରା କୋଚିଂ ସେଣ୍ଟର ଘେରି ରହିଲେ ପୋଲିସ ଓ ଛାତ୍ର
ଗତକାଲି ବିଳମ୍ବିତ ରାତିରେ ଖାନ ସାର୍ଙ୍କୁ ଗିରଫ କରିବା ପାଇଁ ପୋଲିସ ଜୋରଦାର ପ୍ରୟାସ କରିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାତିସାରା ପ୍ରାୟ ୫ଟି ପୋଲିସ ଗାଡ଼ି ଭିନ୍ନ ଭିନ୍ନ ସମୟରେ କୋଚିଂ ସେଣ୍ଟର ପରିସରକୁ ଆସିଥିଲେ। ମାତ୍ର ସେଠାରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଜମା ହୋଇ ରହିଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା। ପୋଲିସ ପକ୍ଷରୁ ସେମାନଙ୍କୁ ସେଠାରୁ ହଟିଯିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ସୁଦ୍ଧା ଉତ୍ତ୍ୟକ୍ତ ଛାତ୍ରମାନେ ରାତିସାରା କୋଚିଂ ସେଣ୍ଟର ବାହାରେ ଧାରଣାରେ ବସି ରହିଥିଲେ।