ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୫୫ ହଜାର ୩୪୦ ଟଙ୍କା, ତାସ୍ ସମେତ ବିଭିନ୍ନ ଜୁଆ ଖେଳ ସାମଗ୍ରୀ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଦୁଇଟି ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ।
ସୂଚନା ଅନୁଯାୟୀ, ଉମରକୋଟ ପୌରାଞ୍ଚଳର ଡଙ୍ଗରୀସାହି ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ଅଚାନକ ସେଠାରେ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ଜୁଆ ଖେଳରେ ଲିପ୍ତ ଥିବା ୭ ଜଣଙ୍କୁ ପୋଲିସ କାବୁ କରିଥିଲା। ସେମାନଙ୍କ ନିକଟରୁ ନଗଦ ଟଙ୍କା, ତାସ୍ ଓ ଅନ୍ୟାନ୍ୟ ଜୁଆ ଖେଳ ସାମଗ୍ରୀ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରେ ଥିବା ଦୁଇଟି ବୋଲେରୋ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି।
ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ବେଆଇନ ଜୁଆ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ।