କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି। ୧୨ ଜଣ ଡକାୟତ ବନ୍ଧୁକ, ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ପରିବାର ଲୋକଙ୍କୁ ବନ୍ଦି କରି ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ବାଳକାଟୀ ଗାଁର ପ୍ରଦୀପ ରାଉତଙ୍କ ଘରେ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଏହି ଡକାୟତି ଘଟିଛି। ଡକାୟତମାନେ ଘରର ପଛପଟ ଦେଇ ଭିତରକୁ ପ୍ରବେଶ କରିଥିଲେ। ସେତେବେଳେ ଘରେ ପ୍ରଦୀପ ରାଉତ, ତାଙ୍କ ପତ୍ନୀ, ବୋହୁ, ଝିଅ ଓ ବୃଦ୍ଧ ବାପା ଉପସ୍ଥିତ ଥିଲେ।
ଡକାୟତମାନେ ପରିବାର ଲୋକଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଭୟଭୀତ କରିବା ସହ ସମସ୍ତଙ୍କୁ ଏକ କୋଠରୀରେ ବନ୍ଦ କରି ରଖିଥିଲେ। ଏହାପରେ ସେମାନେ ଘରର ଆଲମିରା ଓ ଲକର ଭାଙ୍ଗି ସୁନା, ରୁପା ଅଳଙ୍କାର ସହ ନଗଦ ୯୫ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏତେ ବଡ଼ ଡକାୟତିରେ କୌଣସି ସଂଗଠିତ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଚଳାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।