ଓଡ଼ିଶାର ହିମାଳୟ କୁହାଯାଉଥିବା ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଏବେ ପୂର୍ଣ୍ଣ ଆଧ୍ୟାତ୍ମିକ ସେତୁରେ ପରିଣତ ହୋଇଛି। ମହେନ୍ଦ୍ରଗିରି ଶିଖରରେ ଆରମ୍ଭ ହୋଇଛି ଐତିହାସିକ ‘ମହେନ୍ଦ୍ର ପୁରୁଷୋତ୍ତମ ମେଳା’ ଏବଂ ବିଶ୍ୱ ଶାନ୍ତି ମହାଯଜ୍ଞ। ଦୀର୍ଘ ୬୦୦ ବର୍ଷ ପରେ ପୁରୁଷୋତ୍ତମ ମାସରେ ଏହି ଭବ୍ୟ ମହାଯଜ୍ଞ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ଉତ୍ସାହ ଦେଖିବାକୁ ମିଳିଛି।
ପୌରାଣିକ ଏବଂ ମହାଭାରତ ଯୁଗର ଅନେକ ଗାଥା ବହନ କରୁଥିବା ଏହି ପବିତ୍ର ପୀଠ ହେଉଛି ଭଗବାନ ପର୍ଶୁରାମଙ୍କ ସାଧନାସ୍ଥଳୀ। ଓଡ଼ିଶାର ଏହି ଦ୍ୱିତୀୟ ଉଚ୍ଚତମ ପର୍ବତ ଶିଖରରେ ମାତା କୁନ୍ତୀଙ୍କ ସମେତ ପଞ୍ଚୁ ପାଣ୍ଡବଙ୍କ ପ୍ରାଚୀନ ମନ୍ଦିର ଶୋଭା ପାଉଛି। ବର୍ତ୍ତମାନ ସମଗ୍ର ରାଜ୍ୟରେ ପ୍ରବଳ ଗରମ ଓ ଅସହ୍ୟ ତାତି ଜାରି ରହିଥିବା ବେଳେ ମହେନ୍ଦ୍ରଗିରିର ବାତାବରଣ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଓ ଚମତ୍କାର। ଏଠାରେ ଗୋଟିଏ ଦିନରେ ହିଁ ୬ଟି ରୁତୁର ଅନୁଭୂତି ମିଳୁଥିବା ବେଳେ ପ୍ରକୃତିର ସୁନ୍ଦର ସବୁଜିମା ଓ ଶୀତଳ ପବନ ଭକ୍ତ ତଥା ପର୍ଯ୍ୟଟକଙ୍କୁ ଏକ ଦେବଲୋକର ଅନୁଭୂତି ପ୍ରଦାନ କରୁଛି।
ଏହି ସପ୍ତାହବ୍ୟାପୀ ମେଳା ଅବସରରେ ମହେନ୍ଦ୍ରଗିରି ପୀଠରେ ନାମ ଯଜ୍ଞ, ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଶାର କୋଣ ଅନୁକୋଣ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏବଂ ସାରା ଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥମାନେ ମହେନ୍ଦ୍ରଗିରି ଶିଖରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଏହି ଯଜ୍ଞରେ ଆହୁତି ଦେଉଛନ୍ତି।