ପୁରୀ:ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ଓ ରତ୍ନଭଣ୍ଡାର ଗଣତିମଣତିକୁ ନେଇ କିଛି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏବଂ ନୀତିକାନ୍ତିର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କାର୍ଯ୍ୟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ‘ନୀଳାଦ୍ରି ବିଜେ’ ସମ୍ପନ୍ନ ହେବା ପରେ ଏହି ପ୍ରକ୍ରିୟା ପୁଣି କେବେ ଆରମ୍ଭ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ତେବେ ଏହି ବୈଠକରେ ରତ୍ନଭଣ୍ଡାର ଗଣତି ପାଇଁ ଏକ ଅତିରିକ୍ତ ଚିଠା ଏସ୍ଓପି (SOP) କୁ ଅନୁମୋଦନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଭିତର ଭଣ୍ଡାରର କିଛି ଅଳଙ୍କାର ଆକାରରେ ବଡ଼ ଥିବାରୁ ସେଗୁଡ଼ିକର ଓଜନ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଭିତର ଭଣ୍ଡାରର ସୀମିତ ଜାଗାରେ ସମ୍ଭବ ହେଉନାହିଁ। ତେଣୁ ସେସବୁକୁ ବାହାରକୁ ଆଣି ‘ଖଟ ଶେଯ ଘର’ରେ ଶତପ୍ରତିଶତ ଗଣତି କରାଯିବ ଏବଂ ପରେ ନୂଆ ସିନ୍ଦୁକରେ ରଖି ପୁଣି ଭିତର ଭଣ୍ଡାରକୁ ନିଆଯିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଥିବା ଅଳଙ୍କାରଗୁଡ଼ିକୁ ମଧ୍ୟ ଏହି ଗଣତି ପରିସରଭୁକ୍ତ କରାଯିବ। ଏଥିସହ ବାହାର ରତ୍ନଭଣ୍ଡାରର ୬ଟି ତାଲା ମଧ୍ୟରୁ ଖରାପ ହୋଇଯାଇଥିବା ମଝି ତାଲାଟିକୁ ପରିବର୍ତ୍ତନ କରାଯିବା ସହ ପୁରୁଣା ସିନ୍ଦୁକଗୁଡ଼ିକୁ ବାହାରକୁ ଅଣାଯିବ।
ଏହି ମେଗା ବୈଠକରେ ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ହୋଇଛି:
• ରଥଯାତ୍ରା ବ୍ୟବସ୍ଥାବଳୀ: ଛତିଶା ନିଯୋଗରେ ସ୍ଥିର ହୋଇଥିବା ରଥଯାତ୍ରା ନୀତିନିର୍ଘଣ୍ଟ ଉପରେ ଚୂଡ଼ାନ୍ତ ମୋହର ବାଜିଛି।
• ଶ୍ରୀମନ୍ଦିର ଲୋଗୋ ପାଟେଣ୍ଟ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ‘ୱାର୍ଡ ମାର୍କ’ ବା ‘ଲୋଗୋ ମାର୍କ’ ପାଇଁ ଇଣ୍ଡିଆ ପାଟେଣ୍ଟ ଅଫିସ୍ରେ ଦସ୍ତାବିଜ ଦାଖଲ କରାଯାଇଛି।
• ସେବକ ଗୁରୁକୁଳ: ଜମି ବିବାଦ ଯୋଗୁଁ ଅଟକି ରହିଥିବା ଏହି ପ୍ରକଳ୍ପର ଦାୟିତ୍ୱ ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଛି। OBCC କାମ ନକଲେ ଅନ୍ୟ ସଂସ୍ଥା ଦ୍ୱାରା ନିର୍ମାଣ ହେବ।
• ନୀଳଚକ୍ର ବିହାର: ମଶାଣି ଚଣ୍ଡୀଠାରେ ନିର୍ମିତ ନୂଆ ସେବକ କଲୋନିର ନାମ ‘ନୀଳଚକ୍ରବିହାର’ ରଖାଯିବ।
• ମିଡିଆ ଓ ପିଆର ସେଲ୍: ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ପ୍ରଫେସନାଲ୍ ପିଆର ଟିମ୍ ସହ ଖୁବ୍ ଶୀଘ୍ର ନିଜସ୍ୱ ଏଫ୍ଏମ୍ ରେଡିଓ ଏବଂ ୟୁଟ୍ୟୁବ୍ ଷ୍ଟୁଡିଓ ପ୍ରସ୍ତୁତ କରାଯିବ।
• ଅଭ୍ୟର୍ଥନା ପ୍ରକୋଷ୍ଠ: ନରେନ୍ଦ୍ର ପୁଷ୍କରିଣୀଠାରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଏକ ସ୍ଥାୟୀ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ।
ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିବା ବେଳେ ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।