କୋଲକାତା: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରାଜ୍ୟରେ ପ୍ରାୟ ୬୩ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ ବାତିଲ ହେବାକୁ ଯାଉଛି। ଭୋଟର ତାଲିକାରୁ ନାମ କଟାଯିବା ପରେ ଏବେ ଖାଦ୍ୟ ଓ ଯୋଗାଣ ବିଭାଗ ଏହି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନଙ୍କ ନାମ ଭୋଟର ତାଲିକାରେ ନାହିଁ, ସେମାନଙ୍କର ରାସନ କାର୍ଡ ମଧ୍ୟ ରଦ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ରାଜକୋଷରୁ ପ୍ରତି ମାସରେ ପ୍ରାୟ ୩୨ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।
କେଉଁମାନଙ୍କ କାର୍ଡ ହେବ ବାତିଲ ?
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ସମୟ ମଧ୍ୟରେ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ପ୍ରାୟ ୬୩ ଲକ୍ଷ ଲୋକଙ୍କ ନାମ ବାଦ୍ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅନେକ ମୃତ ବ୍ୟକ୍ତି ଥିବାବେଳେ, କିଛି ଲୋକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି ଏବଂ କିଛି ନକଲି ଭୋଟର ମଧ୍ୟ ରହିଛନ୍ତି। ଏବେ ରାଜ୍ୟ ଖାଦ୍ୟ ବିଭାଗ ନିଷ୍ପତ୍ତି ନେଇଛି ଯେ, ଯେଉଁମାନଙ୍କ ନାମ ଭୋଟର ତାଲିକାରେ ନାହିଁ, ସେମାନଙ୍କୁ ଆଉ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯିବ ନାହିଁ।
ନକଲି ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ହଟାଇବା ପାଇଁ ଖାଦ୍ୟ ବିଭାଗ ଭୋଟର ତାଲିକାର ଡାଟା ସହ ରାସନ କାର୍ଡ ଡାଟାକୁ ମ୍ୟାଚ୍ କରୁଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ପ୍ରାୟ ୬୩ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଏବେ ବି ସକ୍ରିୟ ରାସନ କାର୍ଡ ରହିଛି। ଏହି କାର୍ଡଗୁଡ଼ିକ ଜରିଆରେ ପ୍ରତି ମାସରେ ବେଆଇନ ଭାବେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଓ ଗହମ ଉଠାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଡାଟା ମ୍ୟାଚିଂ ପ୍ରକ୍ରିୟା ଶେଷ ହେବା ମାତ୍ରେ ଏହି ସମସ୍ତ ଅଯୋଗ୍ୟ କାର୍ଡକୁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ କିମ୍ବା ଡିଲିଟ୍ କରିଦିଆଯିବ।
ଏହି ବିପୁଳ ସଂଖ୍ୟକ ନକଲି ରାସନ କାର୍ଡ ବାତିଲ ହେବା ଦ୍ୱାରା ରାଜ୍ୟ ସରକାରଙ୍କୁ ବଡ଼ ଆର୍ଥିକ ଆଶ୍ୱସ୍ତି ମିଳିବ। ଖାଦ୍ୟ ବିଭାଗର ହିସାବ ଅନୁସାରେ, ଏହି ପ୍ରକ୍ରିୟା ଦ୍ୱାରା ସରକାରଙ୍କର ପ୍ରତି ମାସରେ ପ୍ରାୟ ୩୨ କୋଟି ଟଙ୍କାର ସରକାରୀ ପାଣ୍ଠି ଅପବ୍ୟୟ ହେବାରୁ ରକ୍ଷା ପାଇବ। ଏହି ବଞ୍ଚିଥିବା ଅର୍ଥକୁ ରାଜ୍ୟର ଅନ୍ୟ ଜନକଲ୍ୟାଣକାରୀ ଯୋଜନା ଏବଂ ପ୍ରକୃତ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟବହାର କରାଯାଇପାରିବ।