ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶ୍ରେୟସ ଅୟରଙ୍କୁ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ସହ ଭାରତୀୟ କ୍ରିକେଟରେ 'ସୂର୍ଯ୍ୟକୁମାର ଯାଦବ ଯୁଗ'ର ସମାପ୍ତି ଘଟିଛି। ସୂର୍ଯ୍ୟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅନେକ ସଫଳତା ପାଇଥିଲେ ମଧ୍ୟ ବିଗତ ଦୁଇ ବର୍ଷ ହେବ ତାଙ୍କ ବ୍ୟକ୍ତିଗତ ବ୍ୟାଟିଂ ଫର୍ମ ନୈରାଶ୍ୟଜନକ ରହିଥିଲା। ଏହାସହ ୨୦୨୮ ଟି-୨୦ ବିଶ୍ୱକପ୍ ଯୋଜନାରେ ସେ ଫିଟ୍ ବସୁନଥିବାରୁ ବୋର୍ଡ ଏହି ବଡ଼ ପରିବର୍ତ୍ତନ କରିଛି। ତେବେ ଅନେକ ଦାବିଦାରଙ୍କୁ ପଛରେ ପକାଇ ଅୟର କେମିତି ହେଲେ ନୂଆ ଅଧିନାୟକ? ଆସନ୍ତୁ ଜାଣିବା ସେହି ୩ଟି ବଡ଼ କାରଣ:
୧. ସୀମିତ ଓଭର କ୍ରିକେଟରେ 'ଏକ ଅଧିନାୟକ' ନୀତି
ବିସିସିଆଇ ଦୀର୍ଘ ଦିନରୁ ସୀମିତ ଓଭର (ଦିନିକିଆ ଓ ଟି-୨୦) ପାଇଁ ଜଣେ ନିର୍ଦ୍ଦିଷ୍ଟ ଅଧିନାୟକ ଖୋଜୁଥିଲା। ବିରାଟ କୋହଲି ଓ ରୋହିତ ଶର୍ମା ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ସଂନ୍ୟାସ ନେଇଥିଲେ। ଏହାପରେ ବୋର୍ଡ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲା। ମାତ୍ର ସୂର୍ଯ୍ୟକୁମାର ଦିନିକିଆ ଦଳରେ ଫିଟ୍ ହୋଇପାରିଲେ ନାହିଁ ଏବଂ ଗିଲ୍ ଟି-୨୦ରେ ନିଜ ସ୍ଥାନ ପକ୍କା କରିବାରେ ବିଫଳ ହେଲେ। ଅଧିନାୟକ ଦୌଡ଼ରେ ସଞ୍ଜୁ ସାମସନ, ଇଶାନ କିଷନ ଓ ତିଲକ ବର୍ମା ମଧ୍ୟ ଥିଲେ। ତିଲକ ଭବିଷ୍ୟତର ଖେଳାଳି ହୋଇଥିଲେ ବି ତାଙ୍କ ପାଖରେ ନେତୃତ୍ୱ ନେବାର ଅଭିଜ୍ଞତା ନଥିଲା। ଶେଷରେ ଉଭୟ ଫର୍ମାଟ୍ରେ ଫିଟ୍ ବସୁଥିବା ଶ୍ରେୟସ ଅୟରଙ୍କ ଉପରେ ବୋର୍ଡ ଭରସା କରିଛି।
୨. କ୍ୟାପ୍ଟେନ୍ସିର ଦୀର୍ଘ ଓ ଦମଦାର ଅଭିଜ୍ଞତା
ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଅୟରଙ୍କୁ ବାଛିବା ପଛର ଦ୍ୱିତୀୟ ସବୁଠାରୁ ବଡ଼ କାରଣ ହେଉଛି ତାଙ୍କର ଅଧିନାୟକତ୍ୱ ରେକର୍ଡ। ଆଇପିଏଲ୍ (IPL) ରେ ୧୦୦ରୁ ଅଧିକ ମ୍ୟାଚ୍ରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ଅୟରଙ୍କ ପାଖରେ ରହିଛି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଧୋନି, ରୋହିତ, ବିରାଟ ଏବଂ ବର୍ତ୍ତମାନର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ପରେ ମାତ୍ର ପଞ୍ଚମ ଭାରତୀୟ।
୩. ବ୍ୟାଟ୍ ସହ ଅଧିନାୟକ ଭାବେ ଧମାକାଦାର ପ୍ରଦର୍ଶନ
ଶ୍ରେୟସ ଅୟର କେବଳ ଦଳକୁ ସଫଳ ନେତୃତ୍ୱ ଦେଇନାହାନ୍ତି, ବରଂ ସମ୍ମୁଖରୁ ଦଳକୁ ଗାଇଡ୍ କରି ନିଜ ବ୍ୟାଟିଂ ଦ୍ୱାରା ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି। ଗତ ଆଇପିଏଲ୍ ସିଜନରେ ସେ ପଞ୍ଜାବ ପାଇଁ ୧୪ ମ୍ୟାଚ୍ରୁ ୫୦.୩୩ ହାରରେ ୬ଟି ଅର୍ଦ୍ଧଶତକ ସହ ୬୦୪ ରନ୍ ସଂଗ୍ରହ କରିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ଚଳିତ ସିଜନରେ ମଧ୍ୟ ୧୪ଟି ମ୍ୟାଚ୍ରୁ ୫୫.୩୩ ପ୍ରଭାବଶାଳୀ ହାରରେ ୧ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ସହ ୪୯" ରନ୍ କରି ନିଜର ଦମଦାର ଫର୍ମର ପ୍ରଦର୍ଶନ କରିଛନ୍ତି।