ମୁମ୍ବାଇ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଆଗାମୀ ଦିନରେ ଟିମ୍ ଇଣ୍ଡିଆକୁ ବ୍ୟସ୍ତବହୁଳ କ୍ରିକେଟ୍ ସୂଚୀ ଦେଇ ଗତି କରିବାକୁ ପଡ଼ିବ। ପ୍ରଥମେ ଆୟରଲ୍ୟାଣ୍ଡ ବିପକ୍ଷରେ ୨ଟିକିଆ ଟି-୨୦ ସିରିଜ୍ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଭାଇଭଲଟେଜ ଟି-୨୦ ସିରିଜ୍ ଖେଳିବ ଭାରତ। ଏହାସହ ଏସିଆନ୍ ଗେମ୍ସ ପାଇଁ ମଧ୍ୟ ଭାରତୀୟ ଦଳ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ତିନୋଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ କେବେ ଟିମ୍ ଇଣ୍ଡିଆ ଘୋଷଣା ହେବ, ତାହାକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଆସନ୍ତାକାଲି ଅର୍ଥାତ୍ ଜୁନ୍ ୬ ଦିନ ଏହି ତିନୋଟି ଯାକ ଟୁର୍ଣ୍ଣାମେଣ୍ଟ ପାଇଁ ଟି-୨୦ ସ୍କ୍ୱାଡ୍ ଘୋଷଣା କରିବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରେସ୍ କନଫରେନ୍ସର ଆୟୋଜନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବୋର୍ଡ ସମ୍ପାଦକ ଦେବଜୀତ ସୈକିଆ ମଧ୍ୟ ଉପସ୍ଥିତ ରହିବେ।
କେଉଁଠି ଓ କେତେବେଳେ ହେବ ପ୍ରେସ୍ କନଫରେନ୍ସ ?
ରିପୋର୍ଟ ମୁତାବକ, ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅପରାହ୍ନ ୧ଟା ସମୟରେ ଏହି ପ୍ରେସ୍ କନଫରେନ୍ସ ଆରମ୍ଭ ହେବ। ଏହି ଦଳ ଚୟନରେ ଅନେକ ବଡ଼ ଏବଂ ଚମକାଇଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସବୁଠାରୁ ବଡ଼ ପରିବର୍ତ୍ତନ ଦଳର ଅଧିନାୟକ ପଦକୁ ନେଇ ହୋଇପାରେ।
ସୂତ୍ର ଅନୁସାରେ, ଏଥର ଟି-୨୦ ଦଳର ନେତୃତ୍ୱରେ ବଡ଼ ବଦଳ ହେବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ଶ୍ରେୟସ ଆୟରଙ୍କୁ ଦଳର ନୂଆ ଟି-୨୦ ଅଧିନାୟକ କରାଯାଇପାରେ। ସେହିପରି ଯୁବ ଖେଳାଳି ତିଲକ ବର୍ମାଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ତେବେ ଅଧିନାୟକ ପଦରୁ ହଟିବାକୁ ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳୁଛି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ସୁଯୋଗ !
ଏହି ଦଳ ଚୟନରେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି। ଆଇପିଏଲ୍ ୨୦୨୬ରେ ନିଜ ବ୍ୟାଟିଂର ଜଲୱା ଦେଖାଇ ଚର୍ଚ୍ଚାକୁ ଆସିଥିବା ବୈଭବଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିପାରେ। ସିଲେକ୍ଟର ତାଙ୍କ ଡେବ୍ୟୁକୁ ନେଇ କି ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବା ବାକି ରହିଲା ।