କେନ୍ଦ୍ରାପଡ଼ା: ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ଡେରାବିଶ କଲେଜ ପରିସରରେ ଶନିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପ୍ରେମରେ ବିଫଳ ହେବା ପରେ ଜଣେ +୩ ଛାତ୍ର ମଦ୍ୟପ ଅବସ୍ଥାରେ ଖଣ୍ଡା ଧରି ରାସ୍ତା ମଝିରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏକ ଛାତ୍ରୀ ଓ ତାଙ୍କ ମାଆଙ୍କୁ ଘଣ୍ଟାଏରୁ ଅଧିକ ସମୟ ଅଟକାଇ ରଖିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଉକ୍ତ ଛାତ୍ର ଜଣକ ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ। ତେବେ ଯୁବତୀ ତାଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ ନକରିବାରୁ ସେ କ୍ଷୁବ୍ଧ ହୋଇପଡ଼ିଥିଲେ। ଶନିବାର ସେ ମଦ୍ୟପ ଅବସ୍ଥାରେ କଲେଜ ନିକଟସ୍ଥ ରାଜରାସ୍ତାରେ ପହଞ୍ଚି ହାତରେ ଏକ ଖଣ୍ଡା ଧରି ଛାତ୍ରୀ ଓ ତାଙ୍କ ମାଆଙ୍କୁ ଅଟକାଇଥିଲେ।
ଅଭିଯୋଗ ଅନୁସାରେ, ଛାତ୍ରୀଙ୍କ କାନ୍ଧରେ ଖଣ୍ଡା ଲଗାଇ ସେ କହିଥିଲେ, “ମୋତେ ବାହା ହେବାକୁ ରାଜି ନହେଲେ ବେକକୁ ହାଣି ଦେବି।” ଏହି ଧମକରେ ମାଆ-ଝିଅ ଭୟଭୀତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ମଧ୍ୟ କିଛି ସମୟ ପାଇଁ ଭୟରେ ସ୍ତବ୍ଧ ହୋଇଯାଇଥିଲେ।
ତେବେ ସ୍ଥାନୀୟ କିଛି ସାହସୀ ଯୁବକ ପରିସ୍ଥିତିକୁ ସମ୍ଭାଳିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଯାଇଥିଲା।
ଏହି ଘଟଣା କଲେଜ ପରିସର ଓ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଖବର ଲେଖାଯିବା ସୁଦ୍ଧା ଏନେଇ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ସୂଚନା ମିଳିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।