ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସିର ଖବର । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏ ନେଇ ମଙ୍ଗଳବାର ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡା ସହ ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, କର୍ମଚାରୀଙ୍କ ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢିଲା । ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବଢାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ୬ ହଜାର ୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ ।
ଏହା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ତାଙ୍କର ଆନୁସଙ୍ଗିକ ସୁବିଧା ବାବଦରେ ଅର୍ଥ ବଢାଇବାକୁ ଦାବି କରୁଥିଲେ । ଆଉ ଆଜି ଏସବୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭତ୍ତା ବୃଦ୍ଧି କରିଛନ୍ତି । ଏହି ଖବର ଅଗ୍ନିଶମ କର୍ମଚାରୀଙ୍କ ମୁହଁରେ କିଛିଟା ହସ ଫୁଟାଇଛି ।