କେନ୍ଦୁଝର ଜିଲ୍ଲା ବନ ବିଭାଗ ଏବଂ ପୁଲିସର ମିଳିତ ସହଯୋଗରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି । ବାଘ ଛାଲକୁ ବିକ୍ରି ଉଦ୍ୟମ କରୁଥିବା ସମୟ ପୋଲିସ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଦିବାକର ବାନ୍ଦିଆଙ୍କ ପୁଅ ରାମ ବାନ୍ଦିଆ(୩୩) ଓ ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ରାଜେନ୍ଦ୍ର କୁଲାପଡ଼ିଆଙ୍କ ପୁଅ ସାଗର କୁଲାପଡ଼ିଆ (୩୭) । ଉଭୟଙ୍କୁ ପାଟଣା ପୁଲିସ ଓ ପାଟଣା ବନ ବିଭାଗ ମାଡି ବସିଛନ୍ତି। ତାଙ୍କ ଠାରୁ ଏକ କଲରାପତରିଆ ବାଘଛାଲ ସହ ବ୍ୟବହାର କରୁଥିବା ଏକ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ପାଟଣା ଥାନାର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ କେନ୍ଦୁଝର ଏସପି ଓ ଡିଏଫ୍ଓଙ୍କଠାରୁ ସୂଚନା ପାଇ ପାଟଣା ଥାନା ସବ୍ ଇନ୍ସପେକ୍ଟର ଉଦୟବିର କୁଲୁ ଓ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ କର୍ମଚାରୀ ମାଛଗଡ଼ ବିଟ୍ ଅଧୀନ ଓସ୍ତଯୋଡି ଗ୍ରାମରେ ଚଢ଼ାଉ କରିଥିବଲେ। ଏହି ସମୟରେ କଲରାପତରିଆ ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପାଟଣା ଥାନାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଭାତ ତ୍ରିପାଠୀ, ଜିଲା ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା ଓ ଅଶୋକ କୁମାର ଦାସ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।