ଭୁୁବନେଶ୍ୱର: ବହୁ ପ୍ରତିକ୍ଷା ପରେ ଓଡ଼ିଶାରେ ପହଞ୍ଚିଲା ଗୋଟିଏ ଇଲେକ୍ଟ୍ରି ଡବଲ ଡେକର ବସ୍। ବସ୍ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ବସରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍। ଏନେଇ ସୂଚନା ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ପ୍ରବାସୀ ଭାରତୀୟ ଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେବ।
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି। ସେଥିରୁ ଗୋଟିଏ ବସ୍ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ବସଟି ଭୁବନେଶ୍ୱର ଅଭିମୁଖେ ବାହାରିଛି । ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍ ଓଡ଼ିଶା ଅଭିମୁଖେ ବାହାରି ସାରିଛି।
ବସଟି ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍ଟି ୫୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରିତ ବସ୍ ହୋଇଥିବା ବେଳେ ତାହା ସବୁ ବେଳେ ସିସିଟିଭି ନଜରରେ ରହିବ ।
ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଏହି ବସ୍ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସ୍ରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି । ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍ରେ ରହିଛି । ଫଳରେ ଅତ୍ୟାଧୁନିକ ସେବାରେ ପରିପୂର୍ଣ୍ଣ ଏହି ବସ୍ ଓଡ଼ିଶାର କଳା ସଂସ୍କୃତିକୁ ବି ବହନ କରିଛି।