ଜଗତସିଂହପୁର: ୩ ମାସ ହେଲା ଝିଅ କୁଆଡେ ଚାଲିଯାଇଛି, ଆଉ ସେବେଠୁ ସବୁଦିନ ସକାଳେ ଝିଅର ଫଟୋକୁ ଧରି ଖୋଜି ବୁଲୁଛି ମା । କାରଣ ମା ଜାଣେ, ଝିଅ ମୋର ଦିବ୍ୟାଙ୍ଗ, ଭଲସେ କଥା କହି ପାରେନି, ଶାଶୁ ଘରେ ଅତ୍ୟାଚାର ସହି ନ ପାରି ସେ କୁଆଡେ ଚାଲିଆସିଛି, ହେଲେ ବୁଝୁନି ମା ମନ । କେଉଁଠି ଥିବ କେମିତି ଥିବ ଭାବି କାନ୍ଦି କାନ୍ଦି ଅସହାୟ ହୋଇପଡୁଛି ମା ଅନ୍ନପୂର୍ଣ୍ଣା । ବୁଢ଼ୀ ବୟସରେ ଗୋଡ଼ରେ ଚାଲିବାକୁ ଆଉ ଶକ୍ତି ନାହିଁ.. ତଥାପି ଝିଅ ମିଳିଯିବା ଆଶାରେ ଖୋଜି ଖୋଜି ଆସି ପହଞ୍ଚିଛନ୍ତି ବନ୍ଦର ନଗରୀ ପାରାଦ୍ଵୀପରେ।
ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ଗାଁ ହେଉଛି ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଘର । ଦଶ ବର୍ଷ ପୂର୍ବରୁ ସେ ନିଜ ଝିଅକୁ ବାହା କରାଇଥିଲେ ଖୋର୍ଦ୍ଧା ଅଞ୍ଚଳରେ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଗାଁର ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସହିତ ନିଜର ବଡ଼ଝିଅ ଆଶାର ବିବାହ କରାଇଥିଲେ ଅନ୍ନପୂର୍ଣ୍ଣା । ଜ୍ୱାଇଁ ବି ଥିଲେ ଦିବ୍ୟାଙ୍ଗ, ଠିକସେ କଥା କହିପାରନ୍ତିନି ।
ଅନ୍ନପୂର୍ଣ୍ଣା ଭାବିଥିଲେ ବାହାଘର ପରେ ଉଭୟଙ୍କ ସଂସାର ରଥ ସୁରୁଖୁରରେ ଚାଲିବ, ହେଲେ ବାହାଘର ପରେ ଝିଅର ଶାଶୁଘର ଲୋକେ ଅତ୍ୟାଚାର ଦେବା ଆରମ୍ଭ କରିଦେଇଥିଲେ । ପରେ ପିଲାଛୁଆ ହେଉ ନ ଥିବା କାରଣରୁ ଝିଅକୁ କଥା କଥାରେ ମିଳୁଥିଲା ଟାହିଟାପର ଓ ଅକଥନୀୟ ଅତ୍ୟାଚାର । ଶେଷରେ ଯନ୍ତ୍ରଣା ସହି ନ ପାରି ଝିଅ କୁଆଡେ ଚାଲିଯାଇଛି । ସେପଟେ ଦିବ୍ୟାଙ୍ଗ ଝିଅ ନିଖୋଜ ହେବା ପରେ ଝିଅର ଫଟୋକୁ ନେଇ ଗାଁରୁ ଗାଁ ବୁଲି ଖୋଜିଚାଲିଛି ମା ।